ରାୟପୁର: ଛତିଶଗଡର ବିଜାପୁରର ଆୱାପାଲୀ ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ବଡଧରଣର ଗୁଳି ବିନିମୟ ହୋଇଛି । ଏଥିରେ 3 ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି । ଅପରେସନରେ ନିୟୋଜିତ ଜଣେ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି । ଆହତ ଯବାନଙ୍କୁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି । ଆଜି ସ୍ପେଶାଲ ଟାକ୍ସଫୋର୍ସ ପାମେଡ ଥାନା ଏରିଆରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏଥିରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ ହୋଇଥିଲେ । ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଅଧିକ ଚିକିତ୍ସା ପାଇଁ ରାୟପୁର ଏୟାରଲିଫ୍ଟ ଯୋଗେ ସ୍ଥାନାନ୍ତରିତ କରାଯାଇଛି ।
ବିଜାପୁରର ଆୱାପାଲୀ ନିକଟବର୍ତ୍ତୀ ଜଙ୍ଗଲରେ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସୁରକ୍ଷା ବଳକୁ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ । ସୁରକ୍ଷାବଳ ମଧ୍ୟ ପାଲଟା ଜବାବ ଦେଇଥିଲା । କିଛି ଘଣ୍ଟା ପର୍ଯ୍ୟନ୍ତ ଏହି ଗୁଳି ବିନିମୟ ଜାରି ରହିଥିଲା । ଏଥିରେ 3 ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ପୋଲିସ ସ୍ପଷ୍ଟ କରିଛି । ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନି । ମୃତଦେହ ଜବତ ହେବା ସହ ବହୁ ମାତ୍ରାରେ ମାଓସାମଗ୍ରୀ ଓ ଗୁଳିଗୋଳା ସମେତ ଏକାଧିକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଅନ୍ୟ କେତେକ ନକ୍ସଲ ଗୁଳିମାଡରେ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ଦେଇଥିଲେ । ସେମାନଙ୍କୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ସର୍ଚ୍ଚ ଓ କମ୍ବିଂ ଅପରେସନକୁ ଜୋରଦାର କରିଛି ।