ଚେନ୍ନାଇ:ତାମିଲାନାଡୁର ବିରୁଧୁନଗର ଜିଲ୍ଲାରେ ଏକ ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ପଥର ଫଟାଇବା ପାଇଁ ଗଚ୍ଛିତ ଥିବା ବିସ୍ଫୋଟକରୁ ଏହି ଅଘଟଣ ଘଟିଛି । ଆଜି (ବୁଧବାର) ସକାଳେ ଏହି ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଏକାଧିକ ଆହତ ହୋଇଛନ୍ତି । କିଛି ଯାନବାହାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ରହିଛି । ତେବେ ଘଟଣାସ୍ଥଳରେ ଏବେ ବି ବିସ୍ଫୋରକ ସାମଗ୍ରୀ ରହିଥିବାରୁ ଅଗ୍ନିଶମ ବାହିନୀ ଏବଂ ପୋଲିସ ଟିମ୍ ସେଠାରେ ପହଞ୍ଚିବାରେ ଅକ୍ଷମ ହେଉଛନ୍ତି ।
ପ୍ରାଥମିକ ସୂଚନା ଅନୁସାରେ, ବିରୁଧୁନଗର ଜିଲ୍ଲା କରିଆପଟ୍ଟି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଘରୋଇ ମାଲିକାନରେ ଥିବା ଉକ୍ତ ପଥର ଖାଦାନର ଷ୍ଟୋରେଜ ରୁମରେ ବିସ୍ଫୋରଣ ହୋଇଛି । ଏହି ରୁମରେ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖାଯାଇଥିଲା, ଯାହାକି ପଥର ଭାଙ୍ଗିବା କାର୍ଯ୍ୟରେ ଲାଗିଥାନ୍ତେ । ହେଲେ ସକାଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ଏହା ଏତେ ଭୟଙ୍କର ଥିଲା ଯେ, ପ୍ରାୟ ୨୦ କିଲୋମିଟର ଅଞ୍ଚଳ ଥରି ଉଠିଥିଲା । ବିସ୍ଫୋରଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଗାଡି ଚୁରମାର୍ ହୋଇଯାଇଛି । ତେବେ ଘଟଣାସ୍ଥଳରେ ବିସ୍ଫୋଟକ ଥିବାରୁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିବା କଷ୍ଟକର ହେଉଛି । ବର୍ତ୍ତମାନ ଉଦ୍ଧରକାରୀ ଦଳ ପଥର ଖଣ୍ଡଗୁଡିକୁ ହଟାଇବାରେ ଲାଗିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଲୁଣିବର ଖାଦାନରେ ଦୁର୍ଘଟଣା, ପଥର ଖାଦାନରୁ ଖସି ୨ ଶ୍ରମିକଙ୍କ ମୃତ୍ୟୁ