ନିମାପଡ଼ା (ପୁରୀ): ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ପୁରୀ ଜିଲ୍ଲା କୋଣାର୍କ କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ବଜାରଠାରୁ ସିଂହାରପାଳ ଓ ସିଂହାରପାଳ ଠାରୁ ତଣ୍ଡାହାର ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗାର୍ଡ ଓ୍ବାଲ ସହ ୧୨ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
- 5 କୋଟିର ବ୍ୟୟ ଅଟକଳ, ଦୁଇ ଠିକା ସଂସ୍ଥା ନେଇଛନ୍ତି ଟେଣ୍ଡର :
କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ବଜାର ଠାରୁ ସିଂହାରପାଳ ଓ ସିଂହାରପାଳ ଠାରୁ ତଣ୍ଡାହର ପର୍ଯ୍ୟନ୍ତ ୧୨ କି.ମି ରାସ୍ତା । ଯାହା ଉପରେ ୪ଟି ପଞ୍ଚାୟତର ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପ୍ରତ୍ୟେକ ଦିନ ଯାତାୟତ କରିଥାନ୍ତି । କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର ଲୋକେ ଏହି ରାସ୍ତା ଉପରେ ଯାତାୟତ କରୁଥିବା ବେଳେ ଗତ କିଛିଦିନ ହେବ ୮ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତିକରଣ କାର୍ଯ୍ୟ କାକଟପୁରର ଓ ଅସ୍ତରଙ୍ଗର ୨ଟି ଠିକା ସଂସ୍ଥାକୁ ଦିଆଯାଇଛି । କିନ୍ତୁ ୨ଟି ସଂସ୍ଥାର ଯନ୍ତ୍ରୀ ଓ ଠିକାଦାରଙ୍କ ଭିତିରି ସଲାସୁତୁରା ଯୋଗୁଁ ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଛନ୍ତି । କିନ୍ତୁ ଅଭିଯୋଗକୁ ବେଖାତିରି କରି ଠିକାଦାର ନିମ୍ନମାନର କାର୍ଯ୍ୟ ଜାରି ରଖିଛନ୍ତି । ରାସ୍ତା ନିର୍ମାଣ ସହ ଗାର୍ଡ-ୱାଲ ନିର୍ମାଣ ମଧ୍ଯ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ଏହା ମଧ୍ୟ ପଢ଼ନ୍ତୁ...ପୁରୁଣା ରାସ୍ତା ଦେଖାଇ ଫେକ୍ ବିଲ୍, ୮ ଲକ୍ଷ ହଡ଼ପ ଅଭିଯୋଗ ଆଣିଲେ ଗ୍ରାମବାସୀ ଏହା ମଧ୍ୟ ପଢ଼ନ୍ତୁ...ସରକାର ବଦଳିଲା ପରେ କାମ ବନ୍ଦ କରିଦେଲା ଠିକାସଂସ୍ଥା ! ଅଧପନ୍ତରିଆ ରାସ୍ତା ଏବେ ମରଣଯନ୍ତା |
ଏହି ରାସ୍ତାଟି ନିର୍ମାଣ କାର୍ଯ୍ୟ ଶେଷ ହେଲେ ଏଥିରେ କାକଟପୁର ବ୍ଳକ ଅବଦାନ ପଞ୍ଚାୟତ ଅସ୍ତରଙ୍ଗ ବ୍ଳକ ଶିଶୁଅ ପଞ୍ଚାୟତ ସହ ଆଖପାଖ ଦୁଇଟି ପଞ୍ଚାୟତର ୨୦ ହଜାର ଲୋକମାନଙ୍କ ସହ ଛାତ୍ରଛାତ୍ରୀ ଯାତାୟତ କରିବାକୁ ସୁବିଧା ପାଇବା । ଚାଷୀମାନେ ନିଜର ପନିପରିବା କୋଣାର୍କ ଓ ବାଲିଦୋକାନ ବଜାରକୁ ଆଣି ଦୁଇ ପଇସା ରୋଜଗାର ମଧ୍ୟ କରିପାରନ୍ତେ । କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଲୁଣା ବାଲିର ବ୍ୟବହାର କରିବା ସହ ଗୋଡିରେ ମଧ୍ୟ ବାଲି ମିଶାଯାଉଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ କଞ୍ଚାମାଲ ଭାଗମାପରେ ଅନିୟମିତତା ସହ ନିମ୍ନମାନର ଡଷ୍ଟ, ଡବଲ୍ୟୁଏମ, ଜିଏସ୍ପି ଓ ମେଣ୍ଟାଲ ବ୍ୟବହାର କରାଯାଉଛି । ଯାହାର ଦୀର୍ଘ ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକଙ୍କ ସହ ପୂର୍ବତନ ସରପଞ୍ଚ କହିଛନ୍ତି ।
- ଗ୍ରାମବାସୀଙ୍କ ସହ ସ୍ବର ମିଳିଇଲେ ପୂର୍ବତନ ବିଧାୟକ:-
ଏନେଇ ସ୍ଥାନୀୟ ଅଞ୍ଚଳର ପୂର୍ବତନ ବିଧାୟକ ବିଚିତ୍ର ନନ୍ଦ ଦାସ କହିଛନ୍ତି, "ବାଲିଦୋକାନ ଠାରୁ ତଣ୍ଡାହାର ପର୍ଯ୍ୟନ୍ତ ଯେଉଁ ରାସ୍ତା କାମ କରାଯାଉଛି ସେଥିରେ ଅତି ନିମ୍ନମାନର କାର୍ଯ୍ୟ ହେଉଛି । ନୂଆ ଢଲେଇ କରା ନଯାଇ ପୁରୁଣା ଢଳେଇକୁ ଓଲଟାଇ ସେଥିରେ ଡଷ୍ଟ ପକାଇ ଦେଉଛନ୍ତି । ଗାର୍ଡୱାଲ ମଧ୍ୟ ନିଚ୍ଚମାନର ହେଉଛି । ସରକାରଙ୍କ ନିୟମ ଅନୁସାରେ ମେଜରମେଣ୍ଟ ବକ୍ସ ରହିବା କଥା କିନ୍ତୁ ତା ନାହିଁ । ଲୁଣା ବାଲିରେ କାମ ହେଉଛି । ଏଥିପାଇଁ ଦୃଢ଼ ପ୍ରତିବାଦ କରାଯିବ । ଆଗାମୀ ଦିନରେ ରାସ୍ତାରୋକ କରାଯିବ । ତେଣୁ ଏଥିପ୍ରତି ନଜର ଦେବାପାଇଁ ମୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଛି ।"
- ଅଭିଯୋଗ ସମ୍ପର୍କରେ ଏମିତି କହିଲେ କନିଷ୍ଠ ଯନ୍ତ୍ରୀ
ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ପଢ଼ିଆରୀ କହିଛନ୍ତି,"ବର୍ତ୍ତମାନ ରାସ୍ତା କାମ ଜାରି ରହିଛି । ଆମେ ଖବର ପାଉଛୁ, ହେଲେ ଆମ୍ଭେମାନେ ଥିବାବେଳେ କାମ ଠିକ୍ କରୁଛନ୍ତି । ଏଥର ରାସ୍ତା କାର୍ଯ୍ୟ ବେଳେ ଆମେ ସମ୍ପୂର୍ଣ୍ଣ ଭାବରେ ଉପସ୍ଥିତ ରହିବୁ ।"
ଇଟିଭି ଭାରତ, ନିମାପଡ଼ା