ରାୟପୁର: ଛତିଶଗଡର ବିଜାପୁରରେ ସୁରକ୍ଷାବଳ ଉପରେ ବଡଧରଣର ଆକ୍ରମଣ କରିଛନ୍ତି ନକ୍ସଲ । ଏଥିରେ ୮ ଜଣ ଯବାନ ଶହୀଦ ହେବା ସହ ଜଣେ ସ୍ଥାନୀୟ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଆଜି ପୂର୍ବାହ୍ନରେ ଯବାନମାନେ ଏକ ଘରୋଇ ଭ୍ୟାନରେ ଅପରେସନରେ ଯାଉଥିବା ବେଳେ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କ ଦ୍ବାରା ରାସ୍ତାରେ ଖଞ୍ଜାଯାଇଥିବା ‘ଆଇଇଡି’ ବିସ୍ଫୋରଣ ହୋଇଥିଲା । ଏଥିରେ ଉକ୍ତ ଗାଡିରେ ଥିବା ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସମସ୍ତ ଶହୀଦ ଯବାନ ‘ଡିଆରଜି’ର ସୁରକ୍ଷାକର୍ମୀ ଥିଲେ । ଏହି ଆକ୍ରମଣ ସମ୍ପର୍କରେ ବସ୍ତର ଆଇଜି ସୁନ୍ଦରରାଜ ସୂଚନା ଦେଇଛନ୍ତି । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଉଛି ।
- ନିକଟରେ ହୋଇଛି ଏକାଧିକ ଏନକାଉଣ୍ଟର
ନକ୍ସଲ ଗଡ ଭାବେ କୁଖ୍ୟାତ ବିଜାପୁର, ନାରାୟଣପାଟଣା, ଦାନ୍ତେଓ୍ବାଡା ଓ ସୁକମାରେ କେନ୍ଦ୍ରୀୟ ଓ ସ୍ଥାନୀୟ ଫୋର୍ସ ମିଳିତ କମ୍ବି ଅପରେସନ ଜାରି ରଖିଛନ୍ତି । ଗତ ଏକ ମାସ ମଧ୍ୟରେ ଏକାଧିକ ଏନକାଉଣ୍ଟରରେ ଅନେକ ଦୁର୍ଦ୍ଦାନ୍ତ ନକ୍ସଲ ସଫା ହୋଇସାରିଲେଣି । ଇନପୁଟ ସୂଚନା ଆଧାରରେ ନିୟମିତ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି । ଏହାକୁ କାଉଣ୍ଟର କରିବା ପାଇଁ ନକ୍ସଲମାନେ ରାସ୍ତାରେ ଲ୍ୟାଣ୍ଡମାଇନ ଓ ଆଇଇଡି ଖଞ୍ଜିଥିଲେ ।
ଏହା ମଧ୍ୟ ପଢନ୍ତୁ:- |