ନୂଆଦିଲ୍ଲୀ:ପତଞ୍ଜଳିର ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ମାଗିଲେ ଯୋଗଗୁରୁ ରାମଦେବ ଏବଂ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ । ହେଲେ ସର୍ବୋଚ୍ଚ ଅଦାଲତ ସେମାନଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରିନାହାନ୍ତି ଏବଂ ଦୁହିଁଙ୍କ ଉପରେ ବର୍ଷିଛନ୍ତି । ''କୋର୍ଟ ଅନ୍ଧ ନୁହଁ । କେବଳ କ୍ଷମା ମାଗିଦେବା ଯଥେଷ୍ଟ ନୁହେଁ'' ବୋଲି କହିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ । ମଧୁମେହ ଓ ଆଜମା ଭଳି ରୋଗକୁ ଆୟୁର୍ବେଦିକ ଔଷଧ ଦ୍ବାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ପତଞ୍ଜଳି ନିଜ ବିଜ୍ଞାପନରେ ଦାବି କରିଥିଲା ।
ଜଷ୍ଟିସ ହିମା କୋହଲି ଏବଂ ଅସାଦ୍ଦୁଦିନ ଓମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ବାବା ରାମଦେବ ଓ ବାଳକୃଷ୍ଣଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମୁକୁଲ ରୋହତାଗୀଙ୍କୁ କହିଛନ୍ତି ଯେ, କୋର୍ଟ ଅନ୍ଧ ନୁହେଁ । ରାମଦେବ ଓ ବାଳକୃଷ୍ଣଙ୍କ କ୍ଷମା ସ୍ବୀକାର କରାଯାଇପାରିବ ନାହିଁ । କାରଣ ଏହାକୁ ଜାଣିଶୁଣି ଆଦେଶର ଆବମାନନା କରାଯାଇଥିବା ଆମେ ଭାବୁଛୁ । କ୍ଷମା ପତ୍ର ଆମ ପାଖକୁ ଆସିବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାକୁ ପ୍ରଚାର ଉଦ୍ଦେଶ୍ୟ ଦାଖଲ କରାଯାଇଥିଲା ନା ଆମ ଉଦ୍ଦେଶ୍ୟରେ ? ଏହି ମାମଲାରେ ଆମେ ଉଦାରବାଦୀ ହେବାକୁ ଚାହୁଁନାହୁଁ । ତେଣୁ ବାଳକୃଷ୍ଣ ଓ ରାମଦେବଙ୍କ କ୍ଷମା ପତ୍ର ଖାରଜ କରୁଛୁ ବୋଲି ଖଣ୍ଡପୀଠ କହିଛନ୍ତି ।