ଲକ୍ଷ୍ନୌ:ପୁଣି ଲାଇନଚ୍ୟୁତ ହେଲା ଏକ୍ସପ୍ରେସ୍ ଟ୍ରେନ । ଉତ୍ତର ପ୍ରଦେଶ କାନପୁର ନିକଟରେ ସାବରମତୀ ଏକ୍ସପ୍ରେସ (19168)ର ଇଞ୍ଜିନ ସମେତ 22ଟି ବଗି ଲାଇନଚ୍ୟୁତ ହୋଇଛି । ଏଥିରେ କେହି ଯାତ୍ରୀ କିମ୍ବା ରେଳ କର୍ମଚାରୀ ମୃତାହତ ହୋଇନାହାନ୍ତି । ଟ୍ରେନଟି ଉତ୍ତର ପ୍ରଦେଶ ବାରାଣସୀରୁ ଗୁଜୁରାଟ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରୁଥିଲା । ଆଜି ରାତି ପ୍ରାୟ ସାଢେ 2ଟା ସମୟରେ କାନପୁର ଏବଂ ଭୀମସେନ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକରେ ବଡ ପଥର ଖଣ୍ଡ ପଡିଥିବାରୁ ଇଞ୍ଜିନ ଧକ୍କା ଖାଇବାରୁ 22 ଲାଇନଚ୍ୟୁତ ହୋଇଥାଏପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ରେଳବାଇ ଟେକ୍ନିକାଲ ସପୋର୍ଟ ଟିମ୍ ପହଞ୍ଚି ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଯାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଘଟଣା ସମ୍ପର୍କରେ ରଳମନ୍ତ୍ରୀଙ୍କ ଟ୍ବିଟ୍
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ୍ କରି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ‘‘ସାବରମତୀ ଏକ୍ସପ୍ରେସ (ବାରାଣାସୀରୁ ଅମଦାବାଦ)ର ଇଞ୍ଜିନ ଟ୍ରାକରେ ଥିବା ପଥରକୁ ଧକ୍କା ଦେଇ ଆଜି ସକାଳ 2ଟା 35 ମିନିଟରେ କାନପୁର ନିକଟରେ ଲାଇନଚ୍ୟୁତ ହୋଇଛି । ଯାତ୍ରୀ କିମ୍ବା କର୍ମଚାରୀମାନେ କୌଣସି ଆଘାତ ପାଇନାହାନ୍ତି । ପୋଲିସ ଓ ଗୁଇନ୍ଦା ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ଟ୍ରେନରେ ଥିବା ଯାତ୍ରୀମାନଙ୍କ ପାଇଁ ବିକଳ୍ପ ଯାତ୍ରା ବ୍ୟବସ୍ଥା କରାଯାଇଛି,’’ ବୋଲି ରେଳ ମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି ।