ରାୟପୁର: ଛତିଶଗଡର ବିଜାପୁରରେ ସୁରକ୍ଷାବଳ ଉପରେ ବଡଧରଣର ଆକ୍ରମଣ କରିଛନ୍ତି ନକ୍ସଲ । ଏଥିରେ ୮ ଜଣ ଯବାନ ଶହୀଦ ହେବା ସହ ଜଣେ ସ୍ଥାନୀୟ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଆଜି ପୂର୍ବାହ୍ନରେ ଯବାନମାନେ ଏକ ଘରୋଇ ଭ୍ୟାନରେ ଅପରେସନରେ ଯାଉଥିବା ବେଳେ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କ ଦ୍ବାରା ରାସ୍ତାରେ ଖଞ୍ଜାଯାଇଥିବା ‘ଆଇଇଡି’ ବିସ୍ଫୋରଣ ହୋଇଥିଲା । ଏଥିରେ ଉକ୍ତ ଗାଡିରେ ଥିବା ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସମସ୍ତ ଶହୀଦ ଯବାନ ‘ଡିଆରଜି’ର ସୁରକ୍ଷାକର୍ମୀ ଥିଲେ । ଏହି ଆକ୍ରମଣ ସମ୍ପର୍କରେ ବସ୍ତର ଆଇଜି ସୁନ୍ଦରରାଜ ସୂଚନା ଦେଇଛନ୍ତି । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଉଛି ।
- ନିକଟରେ ହୋଇଛି ଏକାଧିକ ଏନକାଉଣ୍ଟର
ନକ୍ସଲ ଗଡ ଭାବେ କୁଖ୍ୟାତ ବିଜାପୁର, ନାରାୟଣପାଟଣା, ଦାନ୍ତେଓ୍ବାଡା ଓ ସୁକମାରେ କେନ୍ଦ୍ରୀୟ ଓ ସ୍ଥାନୀୟ ଫୋର୍ସ ମିଳିତ କମ୍ବି ଅପରେସନ ଜାରି ରଖିଛନ୍ତି । ଗତ ଏକ ମାସ ମଧ୍ୟରେ ଏକାଧିକ ଏନକାଉଣ୍ଟରରେ ଅନେକ ଦୁର୍ଦ୍ଦାନ୍ତ ନକ୍ସଲ ସଫା ହୋଇସାରିଲେଣି । ଇନପୁଟ ସୂଚନା ଆଧାରରେ ନିୟମିତ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି । ଏହାକୁ କାଉଣ୍ଟର କରିବା ପାଇଁ ନକ୍ସଲମାନେ ରାସ୍ତାରେ ଲ୍ୟାଣ୍ଡମାଇନ ଓ ଆଇଇଡି ଖଞ୍ଜିଥିଲେ ।
ଏହା ମଧ୍ୟ ପଢନ୍ତୁ:- |
- ଗତକାଲି ନିପାତ ହୋଇଥିଲେ ୪ ନକ୍ସଲ
ଗତକାଲି ନାରାୟଣପୁର ଓ ଦନ୍ତେୱାଡ଼ା ସୀମା ନିକଟବର୍ତ୍ତୀ ଦକ୍ଷିଣ ଅବୁଝମାଡରେ ହୋଇଥିବା ଏନକାଉଣ୍ଟରରେ ୪ ନକ୍ସଲ ନିପାତ କରିଥିଲା ସୁରକ୍ଷା ବାହିନୀ । ଏଥିରେ ଜଣେ ଡିଆରଜିର ଯବାନ ଶହୀଦ ମଧ୍ୟ ହୋଇଥିଲେ । ସେହିପରି ଚଳିତମାସ ୩ ତାରିଖରେ ଛତିଶଗଡ଼ ଓଡିଶା ସୀମାନ୍ତ ନୂଆପଡାରେ ସୁରକ୍ଷାବଳ ନକ୍ସଲ ଏନକାଉଣ୍ଟର ହୋଇଥିଲା । ଗରିଆବନ୍ଧ ଜିଲ୍ଲା କଣ୍ଡାସର ସଂରକ୍ଷିତ ଜଙ୍ଗଲରେ ହୋଇଥିବା ଏହି ଅପରେସନରେ ୩ ହାର୍ଡକୋର ନକ୍ସଲ ନିପାତ ହୋଇଥିଲେ । ବ୍ୟାପକ କମ୍ବି ଚାଲିଥିବା ବେଳେ ଆଜି ନକ୍ସଲଙ୍କ ଆକ୍ରମଣରେ ୮ ଯବାନ ଶହୀଦ ହେବା ସହ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ