ପାଟନା: ସାମରିକ ଦୃଷ୍ଟିକୋଣରୁ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଦେଶ ହେଉଛି ସୋଭିଏତ ଋଷ । ଋଷ ଓ ଭାରତର ବନ୍ଧୁତା ସମ୍ପର୍କରେ ସମସ୍ତେ ଜାଣନ୍ତି । ଋଷରୁ ଭାରତ ଅନେକ ଯୁଦ୍ଧାସ୍ତ୍ର କ୍ରୟ କରିଛି । ଋଷ ମଧ୍ୟ କିଛି ସାମଗ୍ରୀ ଭାରତରୁ ଆମଦାନୀ କରିଥାଏ । ହେଲେ ବିଶ୍ବ ସାମରିକ ଦୃଶ୍ୟପଟ୍ଟରେ ବେଶ ଶକ୍ତିଶାଳୀ ଭୂମିକାରେ ଥିବା ଋଷ ସେନାରେ ବ୍ୟବୃହତ ହେଉଛି ଭାରତ ନିର୍ମିତ ସାମଗ୍ରୀ । ବିହାରର ବୈଶାଳୀରେ ପ୍ରସ୍ତୁତ ହେଉଥିବା ଉଚ୍ଚମାନର ଜୋତାକୁ ବ୍ୟବହାର କରୁଛନ୍ତି ଋଷୀୟ ସୈନିକ । ଯୁଦ୍ଧକ୍ଷେତ୍ର ହେଉ କି ସାମରିକ ମିଶନରେ ଅତି ପ୍ରତିକୂଳ ପରିସ୍ଥିତି, ସବୁ ସମୟରେ ଋଷ ସୈନିକଙ୍କ ପାଦରେ ରହିଛି ଭାରତୀୟ ଜୋତା । ଯାହାକି ବୈଶ୍ବିକ ବଜାରରେ ଆତ୍ମନିର୍ଭର ଭାରତ ମିଶନରେ ପ୍ରସ୍ତୁତ ସାମଗ୍ରୀର ଗୁଣବତ୍ତାର ପରିଚୟ ଦେଉଛି ।
କେଉଁଠି ପ୍ରସ୍ତୁତ ହେଉଛି ଏହି ଜୋତା:-
ବିହାରର ବୈଶାଳୀ ଜିଲ୍ଲାର ଜାଜିପୁର ‘କମ୍ପିଟେନ୍ସ ଏକ୍ସପର୍ଟ ପ୍ରାଇଭେଟ ଲିମିଟେଡ’ ଏହି ଜୋତା ନିର୍ମାଣ କରି ଋଷ ସେନା ପାଇଁ ରପ୍ତାନୀ କରୁଛି । 2018 ମସିହାରୁ ଏହି କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା ଜୋତାକୁ ଋଷ ଆମଦାନୀ କରୁଛି । ଏହା ଅନ୍ୟ କୌଣସି ଉଦ୍ଦେଶ୍ୟରେ ନୁହେଁ ବରଂ ସେନାରେ ଯବାନଙ୍କ ବ୍ୟବହାର୍ଯ୍ୟ ଉଦ୍ଦେଶ୍ୟରେ । କମ୍ପାନୀର ଜେନେରାଲ ମ୍ୟାନେଜର ଶିବ କୁମାର ରୟ କୁହନ୍ତି, "ଆମେ 2018ରେ ହାଜିପୁରରେ ଉତ୍ପାଦନ ଆରମ୍ଭ କରିଛୁ । ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି କରିବା ଆମର ପ୍ରମୁଖ ଲକ୍ଷ୍ୟ । ଏବେ ଆମ ପ୍ରଡକ୍ଟ କେବଳ ଋଷକୁ ରପ୍ତାନୀ ହେଉଛି । ଏହାକୁ ଅନ୍ୟ ୟୁରୋପୀୟ ଦେଶକୁ ମଧ୍ୟ ରପ୍ତାନୀ କରିବାର ଲକ୍ଷ୍ୟ ରଖାଯାଇଛି । ସେ ବାବଦରେ ଆମେ କାର୍ଯ୍ୟ ଜାରି ରଖିଛୁ । ପରେ ଆମେ ଘରୋଇ ବଜାରରେ ମଧ୍ୟ ପ୍ରବେଶ କରିବୁ ।"