ହାଇଦ୍ରାବାଦ:ଦୁଇ ହୃଦୟର ମିଳନରେ ଆରମ୍ଭ ହୁଏ ପ୍ରେମ । କଥାରେ ଅଛି ପ୍ରେମ ନିସ୍ୱାର୍ଥ । ପ୍ରେମ ସଫଳ କିମ୍ବା ବିଫଳ ହୋଇପାରେ କିନ୍ତୁ ଅନୁଭବ ଅନନ୍ୟ । ବସନ୍ତ ଋତୁର ମଳୟ ପବନରେ ପୁଲକିତ ହୁଏ ମନ ଏବଂ ହୃଦୟ । ଆରମ୍ଭ ହୋଇଯାଇଛି ପ୍ରେମ ଋତୁ । ରଙ୍ଗୀନ ଆକାଶରେ ଉଡି ବୁଲିବେ ପ୍ରେମ ପକ୍ଷୀ । ଗୋଲାପ ଫୁଲରୁ ପଡିବ ପ୍ରେମର ମୂଳଦୁଆ । କୁହାଯାଏ ପ୍ରେମ ଏକ ଭାବନା, ସମର୍ପଣ ଏବଂ ଶାଶ୍ୱତ । ସମାଜର ଆକଟ ପାଇଁ ପ୍ରେମ କେବେ ଯନ୍ତ୍ରଣା ଦିଏ ଆଉ କେତେକ ସମୟରେ ଦୁଇ ହୃଦୟର ମିଳନ ଆତ୍ମାକୁ ଶାନ୍ତି ଦେଇଥାଏ । ସବୁ ପରିସ୍ଥିତିରେ ମନ ଖୋଜିଥାଏ ସାଥି ।
ପୁରାଣଠାରୁ ଆରମ୍ଭ କରି ଇତିହାସ ସବୁ ସ୍ଥାନରେ ରହିଛି ପ୍ରେମର ଛାପ । ତେବେ ଫେବୃଆରୀ ମାସ ପ୍ରେମୀ ଯୁଗଳଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । କାରଣ ହୃଦୟର ସ୍ପନ୍ଦନ ଭାବୁଥିବା ପ୍ରେମୀକୁ ପାଇପାରିବେ । ଆଜି ଗୋଲାପ ଦେଇ ନିଜ କୋମଳମତୀ ପ୍ରେମିକାକୁ ନିଜର କରିବାକୁ ଚେଷ୍ଟା କରିବେ ପ୍ରେମିକ । ରାଗ, ଋଷା, ମାନ ଅଭିମାନରେ ପୂର୍ଣ୍ଣଚ୍ଛେଦ ପକାଇବ ଲାଲ ରଙ୍ଗର ସୁଗନ୍ଧଯୁକ୍ତ ଗୋଲାପ । କୁହାଯାଏ ପ୍ରେମର ପ୍ରତୀକ ହେଉଛି ଗୋଲାପ । ତେଣୁ ଆଜିର ଦିନରେ ଗୋଲାପ ବା ରୋଜ୍ ଦେଇ ନିଜର ମନର ଭାବନା ପରିପ୍ରକାଶ କରନ୍ତି ପ୍ରେମୀ ଯୁଗଳ । ପରସ୍ପରକୁ ସୋସିଆଲ ମିଡିଆରେ ଗୋଲାପ ଦିବସର ଶୁଭକାମନା ଜଣାଇବା ପରେ ଗୋଲାପ ମଧ୍ୟ ଦେବ । ଆଜିର ଦିନରେ ଫୁଲ ଜରିଆରେ ନିଜ ପାର୍ଟନରକୁ ମନର ଭାବନା ଜଣାଇବାକୁ ସୁଯୋଗ ମିଳେ । ଗୋଲାପର ରକ୍ତିମ ପାଖୁଡା ପରି ପ୍ରେମର ଗଭୀରତା ମଧ୍ୟ ଗାଢ ବୋଲି ଦର୍ଶାଇବେ ପ୍ରେମୀ ଯୁଗଳ ।