ଓଡିଶା

odisha

ETV Bharat / bharat

ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ରାମୋଜୀ ରାଓ, ମିଡିଆ ଜଗତରେ ଶୋକ - Ramoji Rao passes away - RAMOJI RAO PASSES AWAY

Ramoji Rao, the Chairman of group companies, passed away: ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ପରଲୋକ । ପ୍ରଧାନମନ୍ତ୍ରୀଙ୍କ ଶୋକବ୍ୟକ୍ତ । ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ । ଅଧିକ ପଢନ୍ତୁ

ପରଲୋକରେ ରାମୋଜୀ ଗ୍ରୁପ ଅଧ୍ୟକ୍ଷ ରାମୋଜୀ ରାଓ
ପରଲୋକରେ ରାମୋଜୀ ଗ୍ରୁପ ଅଧ୍ୟକ୍ଷ ରାମୋଜୀ ରାଓ (ETV Bharat Odisha)

By ETV Bharat Odisha Team

Published : Jun 8, 2024, 7:11 AM IST

Updated : Jun 8, 2024, 9:53 AM IST

ହାଇଦ୍ରାବାଦ:ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା-ଅଧ୍ୟକ୍ଷ ସି.ରାମୋଜୀ ରାଓ । ଗତକାଲି ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ 4ଟା 50 ମିନିଟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପ୍ରାର୍ଥିବ ଶରୀର ଫିଲ୍ମ ସିଟି ସ୍ଥିତ ବାସଭବନକୁ ଅଣାଯାଇଛି । ଗଣମାଧ୍ୟମ, ସିନେମା, ସାହିତ୍ୟ, ଚାଷ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଫିଲ୍ମସିଟିରେ ବହୁ ଶୁଭେଚ୍ଛୁ, ସମର୍ଥକ ଓ ରାମୋଜୀ ଗ୍ରୁପର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ତାଙ୍କ ଶେଷ ଦର୍ଶନ କରିବାକୁ ପହଞ୍ଚୁଛନ୍ତି । ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ବିଭିନ୍ନ କ୍ଷେତ୍ରରେ ଥିଲା ଉଲ୍ଲେଖନୀୟ ପାରଦର୍ଶିତା:-

ଏକଧାରାରେ ଜଣେ ଶିଳ୍ପପତି, ସିନେ ପ୍ରଯୋଜକ, ମିଡିଆ ଏଣ୍ଟରପ୍ରିନିୟର, ଲେଖକ ଓ ସ୍ତମ୍ଭକାର ଭାବେ ତାଙ୍କର ବଳିଷ୍ଠ ପରିଚୟ ଥିଲା । ହାଇଦ୍ରାବାଦରେ ସେ ‘ରାମୋଜୀ ଫିଲ୍ମ ସିଟି’ ପ୍ରତିଷ୍ଠା କରିଥିଲେ, ଯାହା ବିଶ୍ବର ସର୍ବବୃହତ୍ତ ସିନେହବ୍ ଭାବେ ପରିଚୟ ପାଇଛି । ତାଙ୍କର ପ୍ରଯୋଜନା ସଂସ୍ଥା ‘ଉଷା କିରଣ ମୁଭି’ ବିଭିନ୍ନ ଭାଷାରେ ହଜାରରୁ ଅଧିକ ଚଳଚିତ୍ର ଭେଟି ଦେଇଛି । ବହୁଭାଷୀ ଗଣମାଧ୍ୟମ ସଂସ୍ଥା ‘ଇଟିଭି’ ଓ ‘ଇନାଡୁ’ ସମ୍ବାଦପତ୍ର ମଧ୍ୟ ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା । ଦୂରଦର୍ଶନ ପରେ ସାରା ଦେଶରେ ମନୋରଞ୍ଜନ ଓ ଖବର ସିଧାପ୍ରସାରଣ କ୍ଷେତ୍ରରେ ଅସମ୍ଭବ ଲୋକପ୍ରିୟତା ସାଉଁଟିଥିଲା ‘ଇଟିଭି’ ।

ରାମୋଜୀ ଫିଲ୍ମସିଟି, ହାଇଦ୍ରାବାଦ (ETV Bharat Odisha)

ବିଭିନ୍ନ କ୍ଷେତ୍ରରେ ସୃଷ୍ଟି କରିଥିଲେ କର୍ମନିଯୁକ୍ତି:-

ରାଓଙ୍କ ବ୍ୟବସାୟିକ ସାମ୍ରାଜ୍ୟ କେବଳ ସିନେମା ଓ ଗଣମାଧ୍ୟମ ବ୍ୟାପାର ମଧ୍ୟରେ ସୀମିତ ନଥିଲା । ମାର୍ଗଦର୍ଶୀ ଚିଟଫଣ୍ଡ, ମୟୁରୀ ଫିଲ୍ମ ଡିଷ୍ଟ୍ରିବୁସନ, ପ୍ରିୟା ଫୁଡ୍ସ, ଡଲଫିନ୍‌ ହୋଟେଲ ଗ୍ରୁପ ପ୍ରମୁଖ ମଧ୍ୟ ରାମୋଜୀ ଗ୍ରୁପର ବିଭିନ୍ନ ଶାଖା ଥିଲା । ଗ୍ରୁପର ବିଭିନ୍ନ ସଂସ୍ଥାରେ ପ୍ରାୟ 10 ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । 2018ରେ ଦେଶର ସର୍ବବୃହତ୍ତ ଡିଜିଟାଲ ନ୍ୟୁଜ ନେଟଓ୍ବାର୍କ ‘ଇଟିଭି ଭାରତ’ ମଧ୍ୟ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ମାର୍ଗଦର୍ଶନରେ ପ୍ରତିଷ୍ଠା ହୋଇଥିଲା । ଏହି ସଂସ୍ଥା ଏବେ ଇଂରାଜୀ ଓ ହିନ୍ଦୀ ସହ ଦେଶର ପ୍ରାୟ ସମସ୍ତ ଆଞ୍ଚଳିକ ଭାଷାରେ ଡିଜିଟାଲ ଖବର ପରିବେଷଣ କରିଆସୁଛି ।

ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ରାମୋଜୀ ରାଓ (ETV Bharat Odisha)

ସାହିତ୍ୟ, ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅତୂଳନୀୟ ଅବଦାନ:-

ଆଞ୍ଚଳିକ ଓ ଦେଶର ଜାତୀୟ ସେନା ଶିଳ୍ପକୁ ଅତୂଳନୀୟ ଅବଦାନ ଦେଇଥିବା ରାମୋଜୀ ରାଓ 4ଫିଲ୍ମ ଫେୟାର ଆଓ୍ବାର୍ଡ (ଦକ୍ଷିଣ ଭାରତୀୟ ସିନେମା), ତେଲଗୁ ସିନେମା ପାଇଁ ଜାତୀୟ ଫିଲ୍ମ ଫେୟାର ଆଓ୍ବାର୍ଡରେ ମଧ୍ୟ ସମ୍ମାନିତ ହୋଇଥିଲେ । ଭାରତୀୟ ସାହିତ୍ୟ, ସମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅତୂଳନୀୟ ଅବଦାନ ପାଇଁ ବର୍ଷ 2016ରେ ତାଙ୍କୁ ସମ୍ମାନଜନକ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାମୋଜୀ ରାଓଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନରେ ସମ୍ମାନିତ କରିଥିଲେ ।

ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଠାରୁ ‘ପଦ୍ମବିଭୂଷଣ’ ସମ୍ମାନ ଗ୍ରହଣ କରୁଛନ୍ତି (ETV Bharat Odisha)

ବିଭିନ୍ନ ମହଲରେ ଶୋକ:-

ରାଓଙ୍କ ଦେହାନ୍ତରେ ଦକ୍ଷିଣ ଭାରତ ସମେତ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ମୋଦି, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରୀ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିି ବିଶେଷ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପ୍ରାର୍ଥୀବ ଶରୀର ରାମୋଜୀ ଫିଲ୍ମ ସିଟିର ମୁଖ୍ୟାଳୟକୁ ଅଣାଯିବା ପରେ ବହୁବିଶିଷ୍ଟ ବ୍ୟକ୍ତିବିଶେଷ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ । ରାଓଙ୍କ ଦେହାନ୍ତ ଭାରତୀୟ ସିନେମା, ଗଣମାଧ୍ୟମ ଓ ପର୍ଯ୍ୟଟନ କ୍ଷେତ୍ରରେ ଏକ ଅପୂରଣନୀୟ କ୍ଷତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 8, 2024, 9:53 AM IST

ABOUT THE AUTHOR

...view details