ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ କୋଲକାତା ହାଇକୋର୍ଟଙ୍କ ରଦ୍ଦ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚକୋର୍ଟ । ଏହା ସହ ସର୍ବୋଚ୍ଚକୋର୍ଟ ସରକାରୀ କର୍ତ୍ତୃପକ୍ଷଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି । ଏହି ସମଗ୍ର ଘୋଟାଲାକୁ ଏକ ବ୍ୟବସ୍ଥାଗତ ଠେକେଇ ବୋଲି କହି ଭର୍ତ୍ସନା କରିଛନ୍ତି । ହାଇକୋର୍ଟଙ୍କ ରାୟରେ ରୋକ ଲାଗିଥିବାରୁ ମମତା ସରକାର ସାମାନ୍ୟ ଆଶ୍ବସ୍ତି ନିଶ୍ଚିୟ ପାଇଛି, ମାତ୍ର ଏହି ମାମଲାର ତଦନ୍ତ ଜାରି ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାର ସର୍ବୋଚ୍ଚକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଗତକାଲି (ମଙ୍ଗଳବାର) ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ 3ଜଣିଆ ଖଣ୍ଡିପୀଠ କରିଥିଲେ । ନିଯୁକ୍ତିର ପୁରା ପ୍ରକ୍ରିୟାରେ ଅନିୟମିତତା ହୋଇଛି । ପ୍ରକ୍ରିୟା ସମ୍ପର୍କିତ ତଥ୍ୟ ମଧ୍ୟ ସରକାର କିମ୍ବା ବିଦ୍ୟାଳୟ ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ନାହିଁ । ଏପରି କରିବା ଦ୍ବାରା ଲୋକଙ୍କର ବ୍ୟବସ୍ଥା ଉପରୁ ଆସ୍ଥା ଉଠିଯିବ । କୌଣସି ପ୍ରକ୍ରିୟାଗତ କାର୍ଯ୍ୟକଳାପ ଜନବିଶ୍ବାସ ହରାଇବା ପରେ କଣ ବାକି ଥିବ ବୋଲି ସରକାରୀ ଓକିଲଙ୍କୁ ପ୍ରଶ୍ନ କରିଥିଲେ ଖଣ୍ଡପୀଠ । ଏହା ସହ ଏହି ମାମଲାର ତଦନ୍ତ ସିବିଆଇ ଜାରି ରଖିବ, ମାତ୍ର ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ପଦ ରଦ୍ଦ ହେବ ନାହିଁ କିମ୍ବା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ । ଏହା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 16 ତାରିଖକୁ ଧାର୍ଯ୍ୟ କରାଯାଇଛି ।