ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ CAA ତାତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ପରେ ହିନ୍ଦୁ ଶରଣାର୍ଥୀଙ୍କ ମଧ୍ୟରେ ବିରୋଧାଭାଷ ତେଜିଛି। ଆଜି ଆଫଗାନିସ୍ତାନ ଏବଂ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ କଂଗ୍ରେସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆକବର ରୋଡ୍ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରୁଛନ୍ତି ଦିଲ୍ଲୀରେ ଥିବା ଶରଣାର୍ଥୀ । ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ଦିଲ୍ଲୀ ପୋଲିସ । ହେଲେ ହିନ୍ଦୁ ଶରଣାର୍ଥୀମାନେ ଲଗାତାର କଂଗ୍ରେସ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଗତକାଲି (ଗୁରୁବାର) ନାଗରିକତା ସଂଶୋଧନ ଅଧିନିୟମ (CAA)କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ ପ୍ରଶ୍ନ କରିଥିଲେ, "ଭାରତରେ ଲୋକଙ୍କ ପାଖରେ ରୋଜଗାର ନାହିଁ । ଏପରି ସ୍ଥିତିରେ ବାହାର ଦେଶର ଲୋକଙ୍କୁ ନାଗରିକତା ଅଧିକାର କାହିଁକି ଦିଆଯାଉଛି ?" ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ତେଜିଛି ବିରୋଧ ।
ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀ ତଥା ବିକ୍ଷୋଭକାରୀ କହିଛନ୍ତି, "ଆମେ ଆତଙ୍କବାଦୀ ନୁହେଁ । ଯଦି ଆମକୁ ନାଗରିକତା ଅଧିକାର ମିଳୁଛି ତେବେ ବିରୋଧୀଙ୍କ ଅସୁବିଧା କୋଉଁଠି? ଆମେମାନେ ଦିଲ୍ଲୀରେ ଗତ ୧୫ ବର୍ଷ ଧରି ବସବାସ କରିଆସୁଛୁ । ଆପଣ ଚେକ୍ କରିପାରନ୍ତି, କୌଣସି ଥାନାରେ ଆମ ନାଁରେ କିଛି ବି ମାମଲା ନାହିଁ । ଆଜି ପର୍ଯ୍ୟନ୍ତ ଆମକୁ ସେପରି କୌଣସି ସୁବିଧା ଦିଆଯାଇନାହିଁ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମକୁ ନାଗିରକତାର ଅଧିକାର ଦେଇଛନ୍ତି । ହେଲେ କେଜ୍ରିୱାଲଙ୍କର ଆମ ସହ ଏମିତି କ'ଣ ଶତୃତା ଅଛି ଯେ ସେ ଏଭଳି କହୁଛନ୍ତି ?" ଏପରି ତମାମ ପ୍ରଶ୍ନ କରିବା ସହ ସେମାନେ ନାରାବାଜି ଦେଇଛନ୍ତି । ଏହି ବିକ୍ଷୋଭରେ ଆନ୍ଦୋଳନକାରୀ ମହିଳାଙ୍କ ସମେତ ଛୋଟ ଛୋଟ ପିଲାମାନେ ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଛି ।