ହାଇଦ୍ରାବାଦ:ରାମୋଜୀ ରାଓ...କେବଳ ନାଁ ନୁହେଁ ଏକ ସାମ୍ରାଜ୍ୟ । ମିଡିଆ ଜଗତର ଭୀଷ୍ମପିତାମହ । କେବଳ ସାମ୍ବାଦିକତା କାହିଁକି, ସାହିତ୍ୟ, ସମାଜ, ଫିଲ୍ମଜଗତ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ସେ ଥିଲେ ରାମୋଜୀ ସାମ୍ରାଜ୍ୟର ମୁକୁଟ ବିହୀନ ସମ୍ରାଟ । ଏକାଧାରରେ ଜଣେ ଉଦ୍ୟୋଗୀ, ସ୍ତମ୍ଭକାର, ସାହିତ୍ୟିକ, ଫିଲ୍ମ ପ୍ରଯୋଜକ, ଶିକ୍ଷାବିତ୍ ଏବଂ ସମାଜସେବୀ । ଏକ ସାଧାରଣ ପରିବାରରେ ଜନ୍ମ ହୋଇ ଥିଲେ ଅସାଧାରଣ ସଫଳତାର ଅଧିକାରୀ । ଗଣମାଧ୍ୟମ, ସାହିତ୍ୟ, ସାମ୍ବାଦିକତା, ଶିକ୍ଷା, ଫିଲ୍ମଜଗତରେ ଅତୁଳନୀୟ ଅବଦାନ ପାଇଁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମବିଭୂଷଣ, ଜାତୀୟ ଫିଲ୍ମଫେୟାର ଆୱାର୍ଡ, ନନ୍ଦି ଆୱାର୍ଡ ପ୍ରଭୃତି ସମ୍ମାନରେ ସମ୍ମାନିତ ହୋଇଥିଲେ ।
ସାଧାରଣ ପରିବାରରୁ ଅସାଧାରଣ ଯାତ୍ରା:
ରାମୋଜୀ ରାଓଙ୍କ ପୁରା ନାମ ଚେରିକୁରୀ ରାମୋଜୀ ରାଓ । ମାଡ୍ରାସ ପ୍ରେସିଡେନ୍ସି ସମୟରେ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାର ପେଡାପାରୁପୁଡିଠାରେ ୧୯୩୬ ମସିହା ନଭେମ୍ବର ୧୬ରେ ତାଙ୍କର ଜନ୍ମ । ତାଙ୍କର ଦୁଇ ଭଉଣୀ ଥିଲେ । ୧୯୬୧ ମସିହାରେ ସେ ରମା ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପୁଅ କିରଣ ପ୍ରଭାକର ଓ ସୁମନ ପ୍ରଭାକର । ବିବାହ ପରେ ରାମୋଜୀ ରାଓ ଦିଲ୍ଲୀ ଚାଲିଯାଇଥିଲେ । ସେଠାରେ ସେ କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ମାତ୍ର କିଛି ଦିନ ପରେ ଚାକିରି ଛାଡି ବ୍ୟବସାୟିକ ଦୁନିଆରେ ପାଦ ଦେଇଥିଲେ । ୧୯୬୨ରେ ରାମୋଜୀ ରାଓ 'ମାର୍ଗଦର୍ଶୀ ଚିଟଫଣ୍ଡ' ଆରମ୍ଭ କରିଥିଲେ । ଏହିଠୁ ତାଙ୍କ ବ୍ୟବସାୟିକ ସଫଳତାର ମୁଳଦୂଆ ପଡିଥିଲା । ଏହାପରେ ସେ ରାମୋଜୀ ଫିଲ୍ମସିଟି, ପ୍ରିୟା ଫୁଡ, ଇନାଡୁ ଇତ୍ୟାତି ପ୍ରତିଷ୍ଠାନ ପ୍ରତିଷ୍ଠା କରି ବିଜନେସ ଟାଇକୁନର ଟ୍ୟାଗ ପାଇଥିଲେ ।
ସାଧାରଣ ଚାଷୀ ପରିବାରରୁ ଆସିଥିବାରୁ ସେ ସଦାସର୍ବଦା ଚାଷୀଙ୍କ ଉନ୍ନତି ପାଇଁ ଚେଷ୍ଟିତ ଥିଲେ । ଏହି ପରିପ୍ରେକ୍ଷୀରେ ୧୯୬୯ରେ ସେ ଅନ୍ନଦାତା ମାଗାଜିନ ଆରମ୍ଭ କରିଥିଲେ, ଯାହାକି କୃଷି ବିଜ୍ଞାନ କେନ୍ଦ୍ର ଓ କୃଷକଙ୍କ ମଧ୍ୟରେ ଦୂରତା କମ୍ କରିଥିଲା ।
ଏହି ମହାନାୟକଙ୍କ ଜୀବନଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଯୋଗ୍ୟ । ଏକ ସାଧାରଣ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ରାମୋଜୀ ରାଓ । ମାତ୍ର କଠିନ ପରିଶ୍ରମ, ଅଧ୍ୟବସାୟ, ଦୂରଦୃଷ୍ଟି ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ବ ବଳରେ ଇର୍ଷଣୀୟ ସଫଳତାର ଅଧିକାରୀ ହୋଇପାରିଥିଲେ । ସେ ୧୯୯୬ ମସିହାରେ ବିଶ୍ବର ସର୍ବବହୃତ ଫିଲ୍ମ ଷ୍ଟୁଡିଓ ରାମୋଜୀ ଫିଲ୍ମ ସିଟି ଆରମ୍ଭ କରିଥିଲେ, ଯାହାକି ହଜାର ହଜାର ଲୋକଙ୍କୁ ରୋଜଗାର ଦେଇଥିଲା ।
ମିଡିଆ ଜଗତ ପ୍ରତି ଅତୁଳନୀୟ ଅବଦାନ:
ରାମୋଜୀ ରାଓଙ୍କୁ ମିଡିଆ ଜଗତର ଭୀଷ୍ମପିତାମହ କୁହାଯାଏ । ତାଙ୍କର ଏହି ଅସାଧାରଣ ଜୀବନଯାତ୍ରାରେ ଇଟିଭି ଚ୍ୟାନେଲ ଥିଲା ଏକ ମାଇଲଷ୍ଟୋନ । ମନୋରଞ୍ଜନ ଏବଂ ଖବର ପରିବେଷଣ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା ଇଟିଭି । ହଜାର ହଜାର ସାମ୍ବାଦିକ ଗଢିଥିଲା । ଦେଶର ସବୁଠୁ ଲୋକପ୍ରିୟ ଟିଭି ଚ୍ୟାନେଲ ରହିଥିଲା । ରାମୋଜୀ ରାଓ 1995ରେ ଇଟିଭି ନେଟୱାର୍କ ଅଧିନରେ ୧୨ଟି ଚ୍ୟାନେଲ ଆରମ୍ଭ କରିଥିଲେ, ଏହା ବିଭିନ୍ନ ଭାଷାରେ ଖବର ଏବଂ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା । ଇଟିଭି ଚ୍ୟାନେଲରେ ତେଲୁଗୁ, ହିନ୍ଦି, ବଙ୍ଗଳା, ମରାଠୀ, କନ୍ନଡ, ଓଡିଆ, ଗୁଜୁରାଟୀ ଏବଂ ଊର୍ଦ୍ଧୁରେ ଦୈନିକ ଟିଭି ସିରିଜ, ଟିଭି ସୋ' ପ୍ରସାରଣ ହେଉଥିଲା ।
ଇଟିଭି ଚ୍ୟାନେଲରେ ପ୍ରତିଦିନ 'ଅନ୍ନଦାତା' ନାମରେ ଏକ ମର୍ଣ୍ଣିଂ ସୋ' ଚାଲୁଥିଲା, ଏଥିରେ ଚାଷୀଙ୍କ ଜୀବନ, ଚାଷ ପଦ୍ଧତି ଇତ୍ୟାଦି ଦେଖାଯାଉଥିଲା । ଚାଷୀ କଲ୍ୟାଣ କ୍ଷେତ୍ରରେ ଏହା ଦେଶର ପ୍ରଥମ ଟିଭି ସୋ' ଥିଲା, ଯାହାକି ସେହି ସମୟରେ ସର୍ବାଧିକ ଟିଆରପି ହାସଲ କରିଥିଲା । ତାଙ୍କ ଦ୍ବାରା ପ୍ରତିଷ୍ଠିତ ଇନାଡୁ ତେଲୁଗୁ ସାମ୍ବାଦିକତା ଦୁନିଆରେ ବିପ୍ଲବ ଆଣିଥିଲା । ଇନାଡୁ ଖବରକାଗଜ ଆଜି ବି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଏକ ଅଗ୍ରଣୀ ଖବରକାଗଜ ଭାବେ ଜନଆଦୃତି ଲାଭ କରୁଛି ।
ବ୍ୟବସାୟିକ ପ୍ରତିଷ୍ଠାନ: