ଚେନ୍ନାଇ: ତାମିଲନାଡୁରନନ୍ଦମ୍ବକ୍କମଠାରେ ଆୟୋଜିତ ହୋଇଛି ୨୪ତମ ପର୍ଯ୍ୟଟନ ମେଳା (Tourism Fair) । ନିକଟରେ ଆରମ୍ଭ ହୋଇଥିବା ଏହି ମେଳା ଦକ୍ଷିଣ ଭାରତର ସବୁଠୁ ବଡ଼ ଟ୍ରାଭେଲ ଟ୍ରେଡ୍ ଫେୟାର ଭାବେ ଉଭା ହୋଇଛି । ଏହି ପ୍ରଦର୍ଶନୀରେ ଆକର୍ଷଣ ପାଲଟିଛି ରାମୋଜୀ ଫିଲ୍ମ ସିଟିର ଷ୍ଟଲ । ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ବୋର୍ଡ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ବିହାର, ଓଡ଼ିଶା, ଉତ୍ତରାଖଣ୍ଡ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ଝାଡ଼ଖଣ୍ଡ ଏବଂ ତେଲେଙ୍ଗାନା ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି । ବିଭିନ୍ନ ବେସରକାରୀ ହୋଟେଲ, ଟୁର୍ ଅପରେଟରସ ମାନେ ଏହି ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି ।
ସେହିପରି ନେପାଳ ଓ ଥାଇଲ୍ୟାଣ୍ଡ ଭଳି ଦେଶ ମଧ୍ୟ ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିବା ଜଣାପଡ଼ିଛି । ଏହାସହ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଗୁଡିକ ଏହି ମେଳାରେ ପ୍ରଦର୍ଶିତ ହୋଇଛି । ୩ଟି ଦେଶ ଓ ଭାରତର ୧୬ ରାଜ୍ୟର ୧୬୦ ଷ୍ଟଲ ଏହି ହଲରେ ଦେଖିବାକୁ ମିଳିଛି । ସେଗୁଡ଼ିକ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଛି ରାମୋଜୀ ଫିଲ୍ମ ସିଟିର ଷ୍ଟଲ । ଏଠାକୁ ଆସୁଥିବା ଦର୍ଶକମାନେ ଖୁବ ଉତ୍ସାହର ସହ ରାମୋଜୀ ଫିଲ୍ମ ସିଟି ବିଷୟରେ ପଚାରି ବୁଝିଛନ୍ତି ।
ଏହି ବିଷୟରେ ରାମୋଜୀ ଫିଲ୍ମ ସିଟି ଟ୍ରେଡ୍ ୟୁନିଟର ସଦସ୍ୟ ହରି କ୍ରିଷ୍ଣନ କହିଛନ୍ତି, "ଖୁବଶୀଘ୍ର ରାମୋଜୀ ଫିଲ୍ମ ସିଟି ଏକ ନୂଆ ଘୋଷଣା କରିବାକୁ ଯାଉଛି । ଗ୍ରୀଷ୍ମ ଋତୁକୁ ନଜରରେ ରଖି ଫିଲ୍ମ ସିଟିକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଭେଟି ଦିଆଯିବ । ଆକର୍ଷଣୀୟ ଅଫର ସହ ଏଠାରେ ବୁଲିବାର ମଜା ନେବେ ପର୍ଯ୍ୟଟକ । ଏଠାରେ ଫିଲ୍ମ ବାବଦରେ ତାଲିମ ମଧ୍ୟ ଦିଆଯାଉଛି । ତାଲିମନାଡୁରୁ ସିଧାସଳଖ ଫିଲ୍ମ ସିଟିକୁ ଆସିବା ପାଇଁ ସମସ୍ତ ସୁବିଧା ମଧ୍ୟ ଉପଲବ୍ଧ ରହିଛି ।"