ଅଯୋଧ୍ୟା: ରାତି ପାହିଲେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଉତ୍ସବମୁଖର ପୁରା ଦେଶ । ରାମ ନାମରେ ପ୍ରକମ୍ପିତ ହେଉଛି ଗଗନ ପବନ । ଏହି ପବିତ୍ର ସମାରୋହ ଅବସରରେ ରାମ ମନ୍ଦିରକୁ ରଙ୍ଗୀନ ଫୁଲରେ ସାଜସଜ୍ଜା କରାଯାଇଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଧାର୍ମିକ ରୀତିନୀତିର ଆଜି ଶେଷ ଦିନ । ପଞ୍ଚମ ଦିନରେ ରାମଲାଲାଙ୍କ ବିଗ୍ରହକୁ ସର୍କାରଧିବାସ ଓ ଫଳାଧିବାସରେ ରଖାଯାଇଥିଲା । ଆଜିର ରୀତିନୀତି ବହୁତ ଖାସ ରହିଛି । ଆଜି (ରବିବାର) ରାମଲାଲାଙ୍କୁ ସ୍ନାନ କରାଯିବା । 125 କଳସ ପବିତ୍ର ଜଳରେ ରାମଲାଲାଙ୍କ ବିଗ୍ରହକୁ ସ୍ନାନ କରାଯିବ । ଏହାପରେ ସୋମବାର ସକାଳେ ମନ୍ତ୍ରପାଠ ଓ ଗୀତ ଗାନ କରାଯାଇ ପ୍ରଭୁ ରାମଚନ୍ଦ୍ରଙ୍କୁ ନିଦରୁ ଉଠାଯିବ । ପରେ ପ୍ରାଣ ପ୍ରତିଷ୍ଠା ପାଇଁ ପୂଜାର୍ଚ୍ଚନା ଆରମ୍ଭ ହେବ ।
125 କଳସ ପବିତ୍ର ଜଳରେ ସ୍ନାନ କରିବେ ପ୍ରଭୁ ରାମଚନ୍ଦ୍ର: ଆଜି ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇ 125 କଳସ ପବିତ୍ର ଜଳରେ ରାମଲାଲାଙ୍କୁ ସ୍ନାନ କରାଯିବ । ଏହି ସମୟ ଶୋୟାଧିବାସ ରୀତିନୀତି ମଧ୍ୟ ଅନୁଷ୍ଠିତ ହେବ । ରୀତିନୀତିର ନେତୃତ୍ୱ ନେଉଥିବା କାଶୀର ବିଦ୍ବାନ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପୁତ୍ର ସୁନୀଲ ଲକ୍ଷ୍ମୀକାନ୍ତ ଦୀକ୍ଷିତ କହିଛନ୍ତି ଯେ, ଶୋୟାଧିବାସ ରୀତିନୀତି ଅନୁଯାୟୀ ପ୍ରଭୁଙ୍କୁ ପିଲାଙ୍କ ପରି ଏକ ଗୀତ ଗାଇ ଶୁଆଇ ଦିଆଯିବ । ସୋମବାର ସକାଳେ, କରତାଳି ସାଙ୍ଗରେ ଗୀତ ଗାନ କରାଯାଇ ରାମଲାଲାଙ୍କୁ ନିଦରୁ ଉଠାଯିବ ।