ହାଇଦ୍ରାବାଦ: ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବିବାହ ବିଚ୍ଛେଦକୁ ନେଇ ବିବାଦୀୟ ବୟାନକୁ ନେଇ ତେଜୁଛି ବିବାଦ । କଂଗ୍ରେସ ନେତ୍ରୀ ତଥା ତେଲେଙ୍ଗାନା ସରକାରଙ୍କ ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବିରୋଧରେ ମାନହାନୀ ମାମଲା ଦାଏର କଲେ ସାଉଥ ସୁପରଷ୍ଟାର ନାଗାର୍ଜୁନ । ଏହାକୁ ନେଇ ତେଲେଙ୍ଗାନାର ନାମପଲ୍ଲୀ କୋର୍ଟରେ ମାମଲା ଦାଏର କରିଛନ୍ତି । ମନ୍ତ୍ରୀ ବୟାନ ଦେଇଥିଲେ କି ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପାଇଁ ଭାରତୀୟ ରାଷ୍ଟ୍ର ସମିତି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟି ରାମାରାଓ ଦାୟୀ । ଏହାକୁ ନେଇ ବିବାଦ ଦେଖା ଦେବା ପରେ କ୍ଷମାପ୍ରାର୍ଥନା କରିଥିଲେ ମନ୍ତ୍ରୀ ।
— chaitanya akkineni (@chay_akkineni) October 3, 2024
ନାଗାର୍ଜୁନ ନିଜ ଅଭିଯୋଗରେ କହିଛନ୍ତି କି, ମନ୍ତ୍ରୀ କୋଣ୍ଡା ସୁରେଖା ସାଧାରଣ ଜନତାଙ୍କ ମଧ୍ୟରେ ଢେର୍ ପ୍ରଭାବ ରଖନ୍ତି । ରାଜନୀତିରେ ତାଙ୍କର ବେଶ ଦବଦବା ରହିଛି । ସେ ରଖୁଥିବା ମନ୍ତବ୍ୟ ବେଶ ପ୍ରଭାବଶୀଳ । କିନ୍ତୁ ଗତ କିଛି ହେବ ସେ ଗଣମାଧ୍ୟମ ସହ ଆଲୋଚନା ବେଳେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ବ୍ୟକ୍ତିଗତ ଜୀବନଙ୍କୁ ନେଇ ମନ୍ତବ୍ୟ ଦେଲେ ତାହାକୁ କଦାପି ସ୍ବୀକାର କରାଯାଇନପାରେ । ଏନେଇ ନାଗା ଚୈତନ୍ୟ ସୋସିଆଲ ମିଡିଆ Xରେ ଏକ ମାନହାନୀ ଏକ କପି ସେୟାର କରିଛନ୍ତି ।
ମନ୍ତ୍ରୀ କଣ ଦେଇଥିଲେ ବୟାନ ?
ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ବୟାନ ଦେଇଥିଲେ କି ନାଗା ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପାଇଁ କେଟିଆର ଦାୟୀ । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ସବୁଠି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ସାମନ୍ଥା କହିଥିଲେ କି, ବିବାହ ବିଚ୍ଛେଦ ମୋ ବ୍ୟକ୍ତିଗତ ମାମଲା । ଏହା ଉପରେ ଆଲୋଚନା ନକରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି । ଏଥିସହ ନାଗାର୍ଜୁନଙ୍କ ପରିବାର ମଧ୍ୟ ମନ୍ତ୍ରୀଙ୍କ ବୟାନକୁ ନେଇ ତୀବ୍ର ସମାଲୋଚନା କରିଥିଲେ ।
କ୍ଷମା ମାଗିଥିଲେ ମନ୍ତ୍ରୀ ?
ବିବାଦ ଦେଖା ଦେବା ପରେ ବୟାନକୁ ନେଇ କ୍ଷମା ମାଗିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ‘ଆଦରଣୀୟ ଅଭିନେତ୍ରୀ ସାମନ୍ଥାଙ୍କ ଭାବନାକୁ ଆଘାତ ପହଞ୍ଚାଇବା ମୋ ଉଦ୍ଦେଶ୍ୟ ନୁହେଁ । ଯେଉଁ ପରି ଭାବେ ଆପଣ ଆତ୍ମବଳ ସହ ଆଗକୁ ବଢୁଛନ୍ତି ତାହା କେବଳ ମୋର ପସନ୍ଦ ନୁହେଁ ଜଣେ ରୋଲ ମଡେଲ ମଧ୍ୟ । ଯଦି ଆପଣଙ୍କୁ ମୋ ବୟାନ ଦୁଃଖିତ କରିଛି ଜଣେ ପ୍ରଶଂସକ ହିସାବରେ ମୋ ମନ୍ତବ୍ୟକୁ ମୁଁ ଫେରାଇ ନେଉଛି ।’
କେବେ ହୋଇଥିଲା ଛାଡପତ୍ର ?
ଦକ୍ଷିଣ ଭାରତ ସିନେମା ଜଗତରେ ଏକଦା ପାୱାର କପଲ ଭାବେ ଜଣାଶୁଣା ଥିଲେ ସାମନ୍ଥା ଓ ନାଗା ଚୈତନ୍ୟ । 2021 ମସିହାରେ ଉଭୟେ ଛାଡପତ୍ର ନେଇ ଘୋଷଣା କରିଥିଲେ । ଏହାପରେ ଗତ ଅଗଷ୍ଟରେ ନାଗା ଚୈତନ୍ୟ ସୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ କରିଛନ୍ତି । ଏହାରି ମଧ୍ୟରେ ମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ରାଜନୀତି ବେଶ ସରଗରମ ରହିଛି ।