ନୂଆଦିଲ୍ଲୀ:ଯଦି ଆପଣ ଟ୍ରେନରେ ପ୍ରତିଦିନ ବା ନିୟମିତ ଯାତ୍ରା କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ । ଯଦି ରେଳବାଇ ପକ୍ଷରୁ ଆପଣଙ୍କୁ କୌଣସି ମେସେଜ ଆସୁଛି, ତେବେ ଖବରକୁ ନିଶ୍ଚିତ ଥରେ ପଢି ନିଅନ୍ତୁ । ଗତ ଏକ ବର୍ଷ ମଧ୍ୟରେ ବାରମ୍ବାର ବା ନିୟମିତ ଟ୍ରେନରେ କିଛି ନିର୍ଦ୍ଦିଷ୍ଟ ରାଜ୍ୟ ତଥା ସହରକୁ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନେଇ ପ୍ରଥମ ଥର ଏକ ସର୍ଭେ କରିଛି ରେଳ ବିଭାଗ । ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ରେଳବାଇ ପ୍ରଥମ ଥର ଏକ ସର୍ଭେ କରିଥିଲା । ସେହି ଯାତ୍ରୀମାନଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଟ୍ରେନ୍ ଏବଂ ବ୍ୟବସ୍ଥା ବିଷୟରେ ସୂଚନା ଦେବା ପାଇଁ ରେଳ ବିଭାଗ ପକ୍ଷରୁ ଏହି ମେସେଜ କରାଯାଉଛି ।
- ମେସେଜରେ ମିଳୁଛି ସ୍ବତନ୍ତ୍ର ଟ୍ରେନ ସମ୍ପର୍କିତ ସୂଚନା:-
ଏନେଇ ଉତ୍ତର ରେଳବାଇ (NR)ର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ‘ଇଟିଭି ଭାରତ’କୁ କହିଛନ୍ତି,“ରେଳବାଇ ପକ୍ଷରୁ ପାର୍ବଣ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । କିନ୍ତୁ ଅନେକ ଯାତ୍ରୀ ଏହି ଟ୍ରେନଗୁଡିକ ସମ୍ପର୍କରେ ଜାଣନ୍ତିନାହିଁ । ଯାହା ଫଳରେ ସେମାନେ ନିୟମିତ ଚଳାଚଳ କରୁଥିବା ଟ୍ରେନରେ ଟିକଟ ବୁକ୍ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ନିୟମିତ ଟ୍ରେନରେ ସେମାନଙ୍କର ଟିକଟ୍ କନଫର୍ମ ନହେବା ଯୋଗୁଁ ସେମାନଙ୍କୁ ଯାତ୍ରା ଯୋଜନା ବାତିଲ କରିବାକୁ ପଡିଥାଏ । ସେମାନେ ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ ଜାଣି ନ ଥିବାରୁ ଏହି ଟ୍ରେନ୍ ପାଇଁ ଟିକେଟ୍ ବୁକ୍ କରନ୍ତିନାହିଁ । ଯେଉଁମାନେ ଗତ ବର୍ଷ ମଧ୍ୟରେ ଅନେକ ଥର ଏକ ନିର୍ଦ୍ଦିଷ୍ଟ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଟ୍ରେନରେ ଯାତ୍ରା କରିଥିଲେ, ଏହି ସର୍ଭେରେ ରେଳବାଇ ସେହି ଯାତ୍ରୀଙ୍କୁ ଚିହ୍ନଟ କରିଛି ।’’
- 50 ଲକ୍ଷ ଯାତ୍ରୀଙ୍କୁ ପଠାଯିବା ମେସେଜ:-
ସେ ଆହୁରି ମଧ୍ୟ କହିଛନ୍ତି,''ଗତ ଏକ ବର୍ଷ ମଧ୍ୟରେ ନିର୍ଦ୍ଦିଷ୍ଟ ରାଜ୍ୟ ତଥା ସହରକୁ ଯାତ୍ରା କରିଥିବା ଲୋକଙ୍କ ଯାତ୍ରାର ଶୈଳୀ ଏବଂ ଯାତ୍ରୀଙ୍କ ଟ୍ରାଭେଲ ତଥ୍ୟ ବୁଝିବା ପାଇଁ ଏକ ସର୍ଭେ କରାଯାଇଥିଲା । ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ, ରେଳବାଇ ଟେଲିକମ୍ ବିଭାଗ ସହାୟତାରେ ଏହିପରି 50ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ମାର୍ଗରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ସୁବିଧା ଏବଂ ଉପଲବ୍ଧତା ବିଷୟରେ ସୂଚନା ଦେବା ପାଇଁ ବଲ୍କ ମେସେଜ୍ ପଠାଉଛି । ''