ହାଇଦ୍ରାବାଦ: ଆଜି ଆଲୋକର ପର୍ବ ଦୀପାବଳି । ପ୍ରତିଟି ହିନ୍ଦୁ ପରିବାରରେ ପାଳିତ ହେଉଥିବା ଏକ ପ୍ରମୁଖ ପର୍ବ । ଏନେଇ ଉତ୍ସବମୁଖର ଗାଁଠୁ ସହର । ସନ୍ଧ୍ୟା ହେବା ମାତ୍ରେ ଦୀପର ଆଲୋକରେ ଆଲୋକିତ ହେବ ଘର, ବାହାର ଓ ରାସ୍ତାଘାଟ । ଆତସବାଜିରେ କମ୍ପିବ ପୂରା ପରିବେଷ । ବାଣ ଫୁଟାଇ ଅନ୍ଧାର ଆକାଶକୁ ରଙ୍ଗୀନ କରିଦେବେ ସଭିଏଁ । ପିଠାପଣାରେ ମହକିବ ଗାଁ,ଗଣ୍ଡା । ଓଡିଶାରେ ଦୀପାବଳି ଦିନ ବଡବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦିଆଯାଇ କାଉଁରିଆ କାଠି ଜଳାଯାଏ । ଦୀପାବଳି ଅବସରରେ ରାଷ୍ଟ୍ରପତ ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
- ମା' କାଳୀଙ୍କୁ ଆରଧନା:
ଆଲୋକ ଏକ ସକାରତ୍ମକ ଶକ୍ତି । ତେଣୁ ଏହି ଦିନ ଲୋକମାନେ ଘରକୁ ଆଲୋକରେ ସୁସଜ୍ଜିତ କରି ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଆଲୋକ ଜାଳନ୍ତି । ଅନ୍ଧାରରୂପକ ନକାରାତ୍ମକ ଶକ୍ତି ଉପରେ ବିଜୟ ହାସଲ କରିବାକୁ ଆଲୋକର ଆବଶ୍ୟକତା ରହିଛି । ଆନନ୍ଦ, ଉଲ୍ଲାସ, ଭକ୍ତି ଓ ଶକ୍ତିର ପର୍ବ ଦୀପାବଳୀକୁ ନେଇ ଚଳଚଞ୍ଚଳ ହୋଇଛି ପୂରପଲ୍ଲୀ । ଏହି ଦିନ ମା' କାଳୀଙ୍କୁ ଆରଧନା କରାଯାଏ । ପୀଠମାନଙ୍କରେ ମା' କାଳୀ ପୂଜା ପାଆନ୍ତି । ପଶ୍ଚିମବଙ୍ଗ, ଓଡିଶା ଓ ବିହାରରେ ଦୀପାବଳି ଦିନ ବିଭିନ୍ନ ପୂଜା ମଣ୍ଡପରେ ମହାକାଳୀ ପୂଜା ପାଇଥାନ୍ତି । ବିଶେଷ ଭାବରେ ଓଡି଼ଶାର ଭଦ୍ରକ ଜିଲ୍ଲାରେ କାଳୀ ପୂଜା ବେଶ ଧୁମଧାମରେ କରାଯାଏ । ଶ୍ରୀମନ୍ଦିରରେ ମଧ୍ୟ ଦୀପାବଳି ପାଳିତ ହୁଏ । ମହାପ୍ରଭୁ ଜଗନ୍ନାଥ, ପିତୃପୁରୁଷ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିବାର ପରମ୍ପରା ରହିଛି ।
ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଏହି ଅବସରରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର ହୋଇ ଜ୍ଞାନର ଅଭ୍ୟୁଦୟ ହେଉ ଏତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା । pic.twitter.com/iNvVLL3c91
— Mohan Charan Majhi (@MohanMOdisha) October 31, 2024
ଏହା ମଧ୍ୟ ପଢନ୍ତୁୃ-ଦୀପାବଳି ସତର୍କତା, ଫୁଟାନ୍ତୁ ଇକୋ ଫ୍ରେଣ୍ଡଲି ବାଣ, ଆଖିରେ ଆଘାତ ଲାଗିଲେ କଣ କରିବେ ? ଏହା ମଧ୍ୟ ପଢନ୍ତୁ-ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ, ଏହି ସମୟରେ ଫୁଟାଇ ପାରିବେନି ବାଣ |
ଆଜି ଅଯୋଧ୍ୟା ଫେରିଥିଲେ ପ୍ରଭୁ ରାମ:
ପୁରାଣ ବର୍ଣ୍ଣିତ କଥା ଅନୁସାରେ, ସତ୍ୟ ଯୁଗରେ ପ୍ରଭୁ ରାମଚନ୍ଦ୍ର 14 ବର୍ଷ ବନବାସ ଶେଷ କରି ଏହିଦିନ ମା’ ସୀତାଙ୍କୁ ଧରି ଅଯୋଧ୍ୟା ନଗରୀ ପ୍ରତ୍ୟାବର୍ତ୍ତନ କରିଥିଲେ ।ଏଥିପାଇଁ ଅଯୋଧ୍ୟାବାସୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟକୁ ପାଳନ କରିବାକୁ ଯାଇ ଘରେ ଦୀପ ଜାଳିଥିଲେ । ସେହି ଦିନରୁ ହିଁ ଭାରତ ବର୍ଷରେ ଏହି ଉତ୍ସବ ପାଳନ କରାଯାଉଛି । ଦୀପାବଳିକୁ କୃଷିଭିତ୍ତିକ ବିଧି ଭାବେ ମଧ୍ୟ ବିବେଚନା କରାଯାଏ । ଦୀପାବଳିରେ ଦୀପ ଏବଂ ଆଲୋକ ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଉଥିବାର ମଧ୍ୟ କୁହାଯାଏ ।
- ନରକାସୁରକୁ ବଦ୍ଧ କରିଥିଲେ ଶ୍ରୀକୃଷ୍ଣ :
ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦଶୀ ଦିନ ବଧ କରିଥିଲେ ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା । ଏହି ଦିନକୁ ନରକ ଚତୁର୍ଦ୍ଦଶୀ କୁହଯାଏ । ଏଦିନ ସୂର୍ଯ୍ୟୋଦୟ କାଳରେ ସମସ୍ତ ଶରୀରରେ ସୁଗନ୍ଧ ତୈଳ ଲଗାଇ ଗାଧୋଈବାର ପ୍ରଥା ଅଛି । ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ୱାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲା ବେଳେ ଇନ୍ଦ୍ରଙ୍କ ସହିତ ସମସ୍ତଦେବତା ବାଧାଦେବାରୁ ଏକାକି ସବୁଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହିଦିବସରେ ଦ୍ୱାରକା ଫେରିଥିଲେ । ତେଣୁ ଦ୍ୱାରକାବାସୀ ପ୍ରଭୁଙ୍କୁ ସ୍ୱାଗତ ଜଣାଇ ସମଗ୍ରନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ ।
- ଓଡ଼ିଆଙ୍କ ବଡବଡୁଆ:
ଆଜିର ଦିନରେ ପ୍ରତିଟି ଓଡ଼ିଆ ପରିବାରରେ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳନ୍ତି । କାଉଁରିଆ କାଠି ଜାଳିବାବେଳେ ' 'ବଡ ବଡୁଆ ହୋ ଅନ୍ଧାରରେ ଆସ ଆଲୁଅରେ ଯା' ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ଯା...ବାଇଶି ପାହାଚେ ଗଡଗଡାଉ ଥାଅ'...ବୋଲି ଉଚ୍ଚାରଣ କରିବାର ପରମ୍ପରା ରହିଛି । ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି । ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳିବା ସହ ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ