ଚଣ୍ଡୀଗଡ଼:ପଞ୍ଜାବ ଅମୃତସର ସ୍ଥିତ ହେରିଟେଜ୍ ଷ୍ଟ୍ରିଟରେ ପ୍ରି ୱେଡିଂ ସୁଟ୍ ବିବାଦ । ଅଭିଯୋଗ ପରେ ଫଟୋ ଓ ଭିଡିଓ ସୁଟ୍ ବ୍ୟାନ କଲା ପଞ୍ଜାବ ପୋଲିସ । ଅମୃତସରରେ ଥିବା ହେରିଟେଜ୍ ଷ୍ଟ୍ରିଟରେ ଏଣିକି ଫଟୋ ଭିଡିଓ ଉତ୍ତୋଳନ କରିହେବ ନାହିଁ । ଏନେଇ ପଞ୍ଜାବ ପୋଲିସ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି । ନିକଟରେ ଶିରୋମଣୀ ଗୁରୁଦ୍ୱାର କମିଟି ପକ୍ଷରୁ ଏନେଇ ଅଭିଯୋଗ ହୋଇଥିଲା । ଯାହାକୁ ଗୁରୁତର ସହ ନେଇଛି ପୋଲିସ ।
ସୂଚନା ଅନୁସାରେ, ନିକଟରେ ପ୍ରି ୱେଡିଂ ସୁଟର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା ପ୍ରତି ପଞ୍ଜାବ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲା ଶିରୋମଣୀ ଗୁରୁଦ୍ୱାର କମିଟି । ଧାର୍ମିକ ସ୍ଥଳରେ ଏଭଳି ଭିଡିଓ ଉତ୍ତୋଳନ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଯାହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଭିଡିଓ ଓ ଫଟୋ ଉତ୍ତୋଳନ ନିଷେଧ ନେଇ ଏକ ପୋଷ୍ଟର ମଧ୍ୟ ଲଗାଯାଇଛି ।
ଖାଲି ପ୍ରି ୱେଡିଂ ସୁଟ୍ ନୁହେଁ, ଅନେକ ରିଲ୍ସ କରିବା ଏବଂ ଯେକୌଣସି ଫଟୋ ଭିଡିଓ ଉତ୍ତୋଳନକୁ ବ୍ୟାନ କରିଛି ପଞ୍ଜାବ ପୋଲିସ । ଏନେଇ ଥାନା ଅଧିକାରୀ ଯଶବୀର ସିଂ କହିଛନ୍ତି, "ହେରିଟେଜ୍ ଷ୍ଟ୍ରିଟରେ ଗତ କିଛି ଦିନ ଧରି ବହୁ ପରିମାଣରେ ପ୍ରି-ୱେଡିଂ ସୁଟ୍ ଏବଂ ରିଲ୍ସ କରାଯାଉଥିବା ପୂର୍ବରୁ ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନଜରରେ ରଖି ଆମେ ଶନିବାର ଗୁରୁଦ୍ୱାର ପରିସରରେ ଏକ ବୋର୍ଡ ଲଗାଇଛୁ । ଏହାସହ ଆମେ କେତେକ ଫଟୋଗ୍ରାଫର ତଥା ଭିଡିଓଗ୍ରାଫରଙ୍କ ସହ ଆଲୋଚନା କରିଛୁ । ଧାର୍ମିକ ସ୍ଥଳର ପରିବେଶରେ ଶାନ୍ତି ଭଙ୍ଗ ନକରିବାକୁ ଆମେ ସେମାନଙ୍କ ସହ ଆଲୋଚନା କରିଛୁ । କାରଣ ଧାର୍ମିକ ପରିବେଶରେ ଏଭଳି କରିବା ଦ୍ୱାରା ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚୁଛି ।"
ଏହା ବି ପଢନ୍ତୁ...Kedarnath Dham: ମନ୍ଦିର ପରିସରରେ ବ୍ୟାନ ହେଲା ଫଟୋ ଓ ଭିଡିଓଗ୍ରାଫି
ତେବେ ନିୟମର ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଚେତାବନୀ ଦେଇଛି ପଞ୍ଜାବ ପୋଲିସ । ଖାଲି ପଞ୍ଜାବ ନୁହେଁ, ବିଭିନ୍ନ ରାଜ୍ୟରେ ସମାନ ଘଟଣା ଦେଖିବାକୁ ମିଳିଛି । ଡିଜିଟାଲ ଯୁଗରେ ଫଟୋ, ଭିଡିଓ ତଥା ରିଲ୍ସ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି ଲୋକେ । ଯେଉଁଥିପାଇଁ ସେମାନେ ମନ୍ଦିର, ଗୁରୁଦ୍ୱାର ଭଳି ପବିତ୍ର ସ୍ଥାନରେ ଭଗବାନଙ୍କୁ ପ୍ରାର୍ଥନା କରିବା ପରିବର୍ତ୍ତେ ଭିଡିଓ ସୁଟ୍ କରୁଥିବା ଦେଖିବାକୁ ମିଳୁଛି । ଏନେଇ ପୂର୍ବରୁ କେଦାରନାଥରେ ମଧ୍ୟ ମନ୍ଦିର କମିଟି ପକ୍ଷରୁ ଆକ୍ସନ ନିଆଯାଇଥିବା ନଜିର ରହିଛି ।