ଭୁବନେଶ୍ବର: 5 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଂଘଚାଳକ ମୋହନ ଭାଗବତ । ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ସନ୍ଧ୍ୟାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଉତ୍କଳ ପ୍ରାନ୍ତର ପୂର୍ବତନ ସଂଘଚାଳକ ଶିବରାମ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ‘ଶରୀର ନାହିଁ କିନ୍ତୁ କୀର୍ତ୍ତି ରହିଯିବ.. ସେଭଳି ବ୍ୟକ୍ତି ବିଶେଷ ଥିଲେ ସ୍ବଗର୍ତ ଶିବରାମ’ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ କହିଛନ୍ତି ମୋହନ ଭାଗବତ ।
ଶିବରାମଙ୍କ ସ୍ମୃତି ସଭାରେ ମୋହନ ଭାଗବତ:
ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ ଶିବରାମ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଂଘଚାଳକ ମୋହନ ଭାଗବତ । ଏହି ଅବସରରେ ମୋହନ ଭାଗବତ ଶିବରାମ ମହାପାତ୍ରଙ୍କ ସ୍ମୃତି ଚାରଣ କରି କହିଛନ୍ତି, ‘ଶରୀର ରହିବ ନାହିଁ । କିନ୍ତୁ କୀର୍ତ୍ତି ରହିଯିବ । ସେଭଳି ବ୍ୟକ୍ତି ବିଶେଷ ଥିଲେ ସ୍ବର୍ଗତ ଶିବରାମ । ପାଦେ ପାଦେରେ ମାର୍ଗଦର୍ଶନ କରିବାର କଳା ତାଙ୍କ ପାଖରେ ଥିଲା । ସଂଘରେ ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧି କାମ କେମିତି କରାଯାଏ ଶିବରାମ ମହାପାତ୍ର ଜାଣିଥିଲେ । ସେ ଜଣେ ସଂଘର ଲୋକ ସଂଗ୍ରହକାରୀ କାର୍ଯ୍ୟକର୍ତ୍ତା ଥିଲେ । ସେ ସଂଘର କାମକୁ ଜୀଉଁ ଥିଲେ । ବାସ୍ତବିକ ଭାବେ ସେ ଜୀବିତ ଥିବା ଅବସ୍ଥାରେ ଜଣା ପଡୁନଥିଲେ । କିନ୍ତୁ ସେ ପ୍ରକୃତରେ ଥିଲେ ଅଲୌକିକ ବ୍ୟକ୍ତି ବିଶେଷ । ତାଙ୍କୁ ଶେଷ ଦର୍ଶନ କରି ନ ପାରିବା ମତେ ଦୁଃଖ ଦେଇଛି ।’
ଭାବବିହ୍ବଳ ହେଲେ ଭାଗବତ:
ମୋହନ ଭାଗବତ ଆହୁରି କହିଛନ୍ତି, ‘ତାଙ୍କୁ ସ୍ମରଣ କରି ଆଗକୁ ବଢ଼ିଲେ ହିଁ ସମାଜରେ ସେ ଏସବୁ ଦିନ ସ୍ମରଣୀୟ ହୋଇ ରହିବ । ସଂଘ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହି ଅବସରରେ ଶିବରାମ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକାକୁ ଉନ୍ମୋଚନ କରିଥିଲେ ମୋହନ ଭାଗବତ ।
ଆମର ମାର୍ଗଦର୍ଶକ ଥିଲେ ଶିବରାମ: ମନମୋହନ
ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ‘ସ୍ବର୍ଗତ ଶିବରାମ ମହାପାତ୍ର ଆମ ସମସ୍ତଙ୍କ ଅଭିଭାବକ ଥିଲେ । ଆମେ ଯେତେବେଳେ ବ୍ରହ୍ମପୁର ଯାଉଥିଲୁ ତାଙ୍କ ଠାରୁ ଆମକୁ ପ୍ରେରଣା ଓ ଉତ୍ସାହ ମିଳୁଥିଲା । ଏମରଜେନ୍ସି ପରେ ପରେ ତାଙ୍କ ସକ୍ରିୟତା ମୁଁ ଦେଖିଛି । ସେ ଆମକୁ ମାର୍ଗ ଦେଖାଉଥିଲେ ମାର୍ଗଦର୍ଶକ ଥିଲେ ।’
5 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋହନ ଭାଗବତ:
5 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଂଘଚାଳକ ମୋହନ ଭାଗବତ । ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ସନ୍ଧ୍ୟା 6ଟାରେ ଜୟଦେବ ଭବନରେ ଶିବରାମ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ । ଆସନ୍ତାକାଲିଠୁ ଫେବୃଆରୀ 3 ପର୍ଯ୍ୟନ୍ତ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଅନୁଷ୍ଠିତ ହେବାକୁ ଥିବା ସାଙ୍ଗଠନିକ କାର୍ଯ୍ୟର ସମୀକ୍ଷା କରିବା ସହ ସଂଘର ଶତାଦ୍ଦୀ ବର୍ଷର ଯୋଜନା ବୈଠକରେ ଯୋଗ ଦେବେ । 5 ଦିନିଆ ଗସ୍ତ ସାରି ଆସନ୍ତା 3ରେ ଭୁବନେଶ୍ବରରୁ ପ୍ରତ୍ୟାବର୍ତ୍ତନ କରିବେ ।
ଇଟିଭି ଭାରତ, ଭୁବନେଶ୍ବର