ଚଣ୍ଡିଗଡ଼:ପଞ୍ଜାବ ତରନତାରନରେ ଆମ ଆଦମି ପାର୍ଟି (ଆପ୍) ନେତାଙ୍କୁ ଗୁଳି କରି ହତ୍ୟା । ଦିବୋଲାକରେ ଆଜି (ଶୁକ୍ରବାର) ଆପ ନେତା ଗୁରପ୍ରୀତ ସିଂଙ୍କୁ ଫତେହାବାଦ ଗେଟ ନିକଟରେ ହତ୍ୟା କରାଯାଇଛି । ଏ ନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତଦେହକୁ ଉଦ୍ଧାର କରିଛି । ସେପଟେ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହତ୍ୟାକାଣ୍ଡ ଘଟାଇ ଦୁର୍ବୃତ୍ତ ଫେରାର ଥିବା ବେଳେ ମୃତଦେହ ନିକଟରେ କିଛି କାଗଜ ଛାଡ଼ିଯାଇଥିବା ପୋଲିସ କହିଛି ।
ମୃତକ ଗୁରପ୍ରୀତ ଆପ୍ ବିଧାୟକଙ୍କ ସମ୍ପର୍କୀୟ:-ହତ୍ୟାକାଣ୍ଡ ପରେ ମିଳିଥିବା ସୂଚନା ଅନୁସାରେ ମୃତକ ତଥା ଆପ୍ ନେତା ଗୁରପ୍ରୀତ କୌଣସି ମାମଲା ନେଇ ସୁଲତାନପୁର କୋର୍ଟ ଅଭିମୁଖେ ଯାଉଥିଲେ । ଏହି ସମୟରେ ରାସ୍ତାରେ ତାଙ୍କୁ କେହି ଗୁଳି କରିଥିବା ଜଣାପଡ଼ିଛି । କିଏ ଗୁରପ୍ରୀତଙ୍କୁ ହତ୍ୟା କରିଛି ସେ ନେଇ ଜଣାପଡ଼ିନାହିଁ । ସେପଟେ ପୋଲିସ ଏ ନେଇ ଛାନଭିନ ଆରମ୍ଭ କରିଥିବା ବେଳେ ମୃତକ ଆପ ନେତା ଗୁରପ୍ରୀତ ହଲକା ବିଧାୟକ ମନଜିନ୍ଦର ସିଂ ଲାଲପୁରାଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି ।
ଏ ନେଇ ମୃତକଙ୍କ ବନ୍ଧୁ କହିଛନ୍ତି, "ଗୁରପ୍ରୀତ କୌଣସି ଏକ ମାମଲାର ଆଜି ଶୁଣାଣି ଥିବାରୁ ସେ କୋର୍ଟ ଅଭିମୁଖେ ଯାଉଥିଲା । ହେଲେ ରାସ୍ତାରେ ଫତେହବାଦ ଗୋଇନ୍ଦୱାଲ ସାହିବ ରେଲୱେ ଫାଟକ ନିକଟରେ ତାଙ୍କୁ ନିଶାନା କରିଥିଲେ ହତ୍ୟାକାରୀ । ଏହାପରେ ଘଟଣାସ୍ଥଳରେ ହିଁ ଗୁରପ୍ରୀତର ମୃତ୍ୟୁ ଘଟିଛି । ଆମକୁ ଘଟଣାସ୍ଥଳରୁ କେହି ଜଣେ ଫୋନ ଯୋଗେ ସୂଚନା ଦେବା ପରେ ଏ ନେଇ ଆମେ ଜାଣିବାକୁ ପାଇଥିଲୁ । ଏହାପରେ ଆମେ ପୋଲିସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲୁ । ତଦନ୍ତ ପରେ ହିଁ ସ୍ପଷ୍ଟ ହେବ କିଏ ଓ କେଉଁ ପରିସ୍ଥିତିରେ ଗୁରପ୍ରୀତକୁ ହତ୍ୟା କରିଛି ।"