ନୂଆଦିଲ୍ଲୀ:ଗତକାଲି ଶପଥ ଗ୍ରହଣ କରିବା ପରେ ଆଜି କାର୍ଯ୍ୟାଳୟରେ ପହଞ୍ଚି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ଆଜି ସାଉଥ-ବ୍ଲକରେ ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ମୋଦିଙ୍କୁ ଅଧିକାରୀମାନେ ଭବ୍ୟ ସ୍ବାଗତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ନିଜ ଚାମ୍ବରରେ ଆଧିକାରୀକ ଚୌକିରେ ବସି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତୃତୀୟ ପାଳିର ପ୍ରଥମ ନିଷ୍ପତ୍ତି ଭାବେ ‘ପ୍ରଧାନମନ୍ତ୍ରୀ କିଷାନ ନିଧି’ ଯୋଜନର ୧୭ତମ ଅର୍ଥରାଶି ରିଲିଜ୍ ଫାଇଲରେ ହସ୍ତାକ୍ଷର କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା 9.3 କୋଟି ଚାଷୀଙ୍କୁ ଉପକୃତ କରିବ । ପ୍ରାୟ 20,000 କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯିବ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମନ୍ତ୍ରୀମଣ୍ଡଳ ଆବଣ୍ଟନ ଉପରେ ସମସ୍ତଙ୍କ ନଜର ରହିଛି ।
ମୋଦି ମନ୍ତିମଣ୍ଡଳ ଗଠନ ସମୟରେ ସବୁ ବର୍ଗର ନେତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏହି ମନ୍ତ୍ରୀମାନଙ୍କ ମଧ୍ୟରେ 27ଜଣ ଅନ୍ୟାନ୍ୟ ପଛୁଆ ବର୍ଗ ‘ଓବିସି’, 10ଜଣ ଅନୁସୂଚିତ ଜାତି ଓ 5ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ରହିଛନ୍ତି । ସେହିପରି 18ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି । ଏହାସହିତ 43ଜଣ ମନ୍ତ୍ରୀଙ୍କୁ ତୃତୀୟ ଥର ଲାଗି ମନ୍ତ୍ରୀ ପଦ ମିଳିଥିବା ବେଳେ 39 ଜଣ ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହି ଟିମରେ 6ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । 34 ମନ୍ତ୍ରୀ ବିଧାୟକ ଭାବେ ନିଜ ନିଜ ରାଜ୍ୟରେ ଦାୟିତ୍ବ ସମ୍ଭାଳି ସାରିଛନ୍ତି ।