ନୂଆଦିଲ୍ଲୀ:ଆସନ୍ତାକାଲି 75ତମ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଥିବା ବେଳେ ଏହାର ପୂର୍ବ ସଂଧ୍ୟାରେ ଆଜି ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ନିଜ ସମ୍ବୋଧନରେ ନିକଟରେ ଶେଷ ହୋଇଥିବା ରାମ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଓ ଶୀତ ଅଧିବେଶନରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ଅଧିନିୟମକୁ ପ୍ରଂଶସା କରିଛନ୍ତି । ଏହି ଦୁଇ ଘଟଣା ଐତିହାସିକ ବୋଲି ରାଷ୍ଟ୍ରପତି କହିଛନ୍ତି । ଦେଶର ବର୍ତ୍ତମାନ ସ୍ଥିତି, ଗତି, ଉପଲବ୍ଧି ଓ ଭବିଷ୍ୟତର ସମ୍ଭାବନା ମଧ୍ୟ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ସ୍ଥାନ ପାଇଛି ।
ଅମୃତକାଳରେ ବିକଶିତ ରାଷ୍ଟ୍ର ହେବ ଭାରତ :-
ଆଜି ସଂଧ୍ୟାରେ ଭର୍ଚ୍ଚୁଆଲି ଦେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଦେଶ ସ୍ୱାଧୀନତାର ଶତାବ୍ଦୀ ପୂର୍ତ୍ତିର ନିକଟବର୍ତ୍ତୀ ହେଉଛି । ଏବେ ଦେଶେ ଅମୃତକାଳର ପ୍ରାରମ୍ଭିକ ପର୍ଯ୍ୟାୟ ଦେଇ ଗତି କରୁଛି । ଏହା ଯୁଗର ପରିବର୍ତ୍ତନର ଏକ ଅବଧି । ବର୍ତ୍ତମାନର ଆମ ଦେଶକୁ ନୂତନ ଉଚ୍ଚତାକୁ ନେବା ପାଇଁ ଆମକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି । ଆମର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ସମ୍ବିଧାନରେ ପ୍ରଦତ୍ତ ମୌଳିକ କର୍ତ୍ତବ୍ୟକୁ ସମସ୍ତ ନାଗରିକ ପାଳନ କରନ୍ତୁ । ସ୍ବାଧୀନନତାର 100 ବର୍ଷରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଏହି କର୍ତ୍ତବ୍ୟ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ବ ବୋଲି ରାଷ୍ଟ୍ରପତି କହିଛନ୍ତି ।
ନ୍ୟାୟିକ ପ୍ରକ୍ରିୟାରେ ଦେଶବାସୀଙ୍କ ବିଶ୍ବାସର ପ୍ରତୀକ ‘ରାମ ମନ୍ଦିର’:-
ରାଷ୍ଟ୍ରପତି କହିଛନ୍ତି,‘‘ ନିକଟରେ ଆମେ ସମସ୍ତେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନରେ ନିର୍ମିତ ଭବ୍ୟ ମନ୍ଦିରରେ ସ୍ଥାପିତ ବିଗ୍ରହଙ୍କ ଐତିହାସିକ ପ୍ରାଣପ୍ରତିଷ୍ଠା ସମାରୋହର ସାକ୍ଷୀ ହେବାର ସୌଭାଗ୍ୟ ପାଇଛୁ । ଭବିଷ୍ୟତରେ, ଯେତେବେଳେ ଏହି ଘଟଣାକୁ ଏକ ବ୍ୟାପକ ଦୃଷ୍ଟିକୋଣରେ ଦେଖାଯିବ, ଐତିହାସିକମାନେ ଏହାକୁ ଭାରତର ଉପଲବ୍ଧି ଭାବେ ବ୍ୟାଖ୍ୟା କରିବେ । ଉପଯୁକ୍ତ ନ୍ୟାୟିକ ପ୍ରକ୍ରିୟା ଏବଂ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଭବ୍ୟ ମନ୍ଦିର କେବଳ ଲୋକଙ୍କ ବିଶ୍ବାସକୁ ପରିପ୍ରକାଶ କରୁନାହିଁ ବରଂ ନ୍ୟାୟ ପ୍ରକ୍ରିୟାରେ ଆମ ଦେଶବାସୀଙ୍କ ଅପାର ବିଶ୍ବାସର ଏକ ବଳିଷ୍ଠ ପ୍ରମାଣ ମଧ୍ୟ ସୃଷ୍ଟି କରିଛି ।