ନୂଆଦିଲ୍ଲୀ:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 19 ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପୁରସ୍କାର ବଣ୍ଟନ ସମୟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଉପସ୍ଥିତ ଥିଲେ । ସେବା, କ୍ରୀଡା, କଳା, ସଂସ୍କୃତି ଏବଂ ସାହାସିକତା ଭଳି 6ଟି ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ।
18ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ବାଲ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ମେଡାଲ ସହ ଛାତ୍ରଛାତ୍ରୀଙ୍କୁ ଅର୍ଥ ରାଶି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି । 19 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ 10 ଜଣ ପୁଅ 9ଜଣ ଝିଅ ରହିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି କହିଥିଲେ, 'ଏପରି କାର୍ଯ୍ୟକ୍ରମରେ ଶିଶୁଙ୍କ ଗହଣରେ ଉପସ୍ଥିତି ଥିବାରୁ ମୁଁ ବହୁତ ଖୁସି । ଏହି ପୁରସ୍କାର ବିତରଣ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ପ୍ରତିଭାକୁ ଆଗକୁ ଆଣିବାକୁ ଉତ୍ସାହିତ କରିବାର ଏକ ସୁଯୋଗ । ପିଲାମାନଙ୍କର ସଫଳତାକୁ ମନାଇବାର ଏକ ଦିନ । ସମସ୍ତ ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀ ମୁଁ ଅଭିନନ୍ଦନ ଜଣାଉଛି ।''
ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର 2024: 19 ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ଯେ, ''ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସବୁଠାରୁ କନିଷ୍ଠ ହେଉଛନ୍ତି ମାଷ୍ଟର ଅରମାନ ଉଭାରନୀ । ତାଙ୍କୁ ଛତିଶଗଡ଼ର ୱାଣ୍ଡର ବୟ ଓ ଗୁଗୁଲ୍ ମ୍ୟାଥ୍ ବୟ କୁହାଯାଏ। ସେହିପରି ଅନ୍ୟ ଜଣେ କନିଷ୍ଠ ଛାତ୍ରୀ ହେଉଛନ୍ତି ଅନୁଷ୍କା । ସେ 4 ଚାରି ବର୍ଷ ବୟସରୁ କାହାଣୀ କହିବାରେ ପାରଙ୍ଗମ । ସେ କାହାଣୀ ମାଧ୍ୟରେ ଜୀବନର ମୂଲ୍ୟ ବୋଧକୁ ଲୋକଙ୍କୁ ବୁଝାଇଥାନ୍ତି । ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ପୁରସ୍କୃତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଛନ୍ତି । ସାହସିକତା, କଳା ଏବଂ ସଂସ୍କୃତି, ସାମାଜିକ ସେବା ଏବଂ କ୍ରୀଡା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ଭାବନ ଭଳି ବର୍ଗ ରହିଛି । ମୁଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଓ ତାଙ୍କ ଟିମକୁ ପ୍ରଶଂସା କରୁଛି । ''
'' ଆମର ପିଲାମାନେ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ଦେଖାଇଛନ୍ତି । ଏକାଗ୍ରତା ଏବଂ କଠିନ ପରିଶ୍ରମ ବଳରେ ସେମାନେ ନିଜର ପରିଚୟ ସୃଷ୍ଟି କରିବାର ସମ୍ଭାବନା ରହିଛି । ସେମାନଙ୍କୁ ସଠିକ୍ ଦିଗ ଦେଖାଇବା ଆମର କର୍ତ୍ତବ୍ୟ । ଯାହା ଦ୍ବାରା ସେମାନେ ସେମାନଙ୍କର ପ୍ରତିଭା ସଠିକ୍ ଭାବରେ ଉପଯୋଗ କରିପାରିବେ । ଯେତେବେଳେ ଭଲ କାର୍ଯ୍ୟ ଉପରେ ସେମାନଙ୍କର ଧ୍ୟାନ ରହିବ ସେତେବେଳେ ସେମାନେ ନିଜ ଜୀବନକୁ ସଠିକ୍ ଦିଗ ଦେଖାଇବାରେ ସକ୍ଷମ ହୋଇପାରିବେ । ଆଗକୁ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭୂମିକା ମଧ୍ୟ ରହିବ । ''