ଲକ୍ଷ୍ନୌ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାରକେଡ୍ ପାଇଁ ରାସ୍ତା କ୍ଲିୟର କରୁଥିବା ବେଳେ ପୋଲିସ ଜିପ୍ ଦୁର୍ଘଟଣା । ଏଥିରେ ୫ ଜଣ ପୋଲିସ କର୍ମୀଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି । ଶନିବାର ରାତିରେ ୟୁପିର ଅର୍ଜୁନଗଞ୍ଜ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଜିପ୍ ଆଗରେ ହଠାତ୍ ଗୋଟିଏ କୁକୁର ଚାଲି ଆସିଥିଲା । ଫଳରେ ଗାଡି ଭାରସାମ୍ୟ ହରାଇ ରାସ୍ତାକଡରେ ପାର୍କିଂ ହୋଇଥିବା ଆଉ ଦୁଇଟି ଗାଡିକୁ ଯାଇ ଧକ୍କା ଦେଇଥିଲା ଏବଂ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଏୟାରପୋର୍ଟରୁ ବାହାରି ଥିଲା । ପୋଲିସ କର୍ମୀମାନେ କାରକେଡ୍ ପାଇଁ ଜିପ୍ରେ ରାସ୍ତା ସଫା କରୁଥିଲେ । ଜିପ୍ ଦ୍ରୁତଗତିରେ ଯାଉଥିବା ବେଳେ ହଠାତ୍ ଗୋଟିଏ କୁକୁର ଆଗକୁ ଚାଲି ଆସିଥିଲା । ତାକୁ ଧକ୍କା ନ ଦେବାକୁ ଯାଇ ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲେ ଏବଂ ଜିପ୍ ସିଧା ଯାଇ ଆଉ ଦୁଇଟି ଗାଡି ସହ ଧକ୍କା ହୋଇଥିଲା । ଏହାପରେ ଓଲଟି ପଡିଥିଲା । ଏହି ଘଟଣାରେ ଜିପରେ ଥିବା ୫ ଜଣ ପୋଲିସ କର୍ମୀଙ୍କ ସହ ଦୁର୍ଘଟଣାଗସ୍ତ ଆଉ ଦୁଇଟି ଗାଡିରେ ବସିଥିବା ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ଶିଶୁ ଥିବାର ମଧ୍ୟ ଜଣାପଡିଛି । ସମସ୍ତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।