ଭୁବନେଶ୍ବର: ସିଙ୍ଗାପୁରରୁ ଓଡିଶା ଆସିବ ବଡ଼ ପୁଞ୍ଜି । ରାଜ୍ୟରେ ବିଦେଶୀ ପୁଞ୍ଜି ନିବେଶ ସହ ବଢିବ ନିଯୁକ୍ତି ସୁବିଧା । ଏହିକ୍ରମରେ ସିଙ୍ଗାପୁର ଗସ୍ତରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ । ସିଙ୍ଗାପୁରରେ କାର୍ଯ୍ୟ କରୁଥିବା ବଡ଼ ବ୍ରାଣ୍ଡ କମ୍ପାନୀ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ବରିଷ୍ଠ ପ୍ରତିନିଧି ମଣ୍ଡଳୀ । ଦିଲ୍ଲୀ ଓ ମୁମ୍ବାଇ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ବିଦେଶ ଗସ୍ତ ଭାବେ ସିଙ୍ଗାପୁର ଯାଇଛନ୍ତି ।
- 17ରୁ 20 ମଧ୍ୟରେ ବିଭିନ୍ନ ଶିଳ୍ପାନୁଷ୍ଠାନ ବୁଲିବେ ମୁଖ୍ୟମନ୍ତ୍ରୀ:-
ଉତ୍କର୍ଷ ଓଡିଶା: ‘ମେକ ଇନ ଓଡିଶା-2024’ ଲାଗି ନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଓ ବରିଷ୍ଠ ଅଧିକାରୀ ସିଙ୍ଗାପୁର ଗସ୍ତରେ ଯିବେ । ଓଡ଼ିଶାର ଏହି ପ୍ରତିନିଧି ଦଳ 17 ରୁ 20 ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରରେ ନିବେଶକଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ କରିବେ ।
- ଭାରତରେ ନିବେଶ ଉତ୍ସାହୀଙ୍କର ଓଡିଶା ହେବ ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ
ସିଙ୍ଗାପୁର ଗସ୍ତରେ ଯିବା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ମୁଁ ଆଜି ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇ ସିଙ୍ଗାପୁର ଅଭିମୁଖେ ବାହାରିଛି । ଭାରତ ବାହାରେ ଏହା ହେଉଛି ମୋର ପ୍ରଥମ ନିବେଶକ ସମ୍ମିଳନୀ । ମୋର ପୂରା ବିଶ୍ବାସ, ଏ ଯାତ୍ରା ନିଶ୍ଚୟ ସଫଳ ହେବ । ମୁଁ ଆଶା କରୁଛି ଯେ, ଯେତେବେଳେ ସାରା ବିଶ୍ବରୁ ନିବେଶକମାନେ ଭାରତରେ ନିବେଶ କରିବାକୁ ଚାହିଁବେ, ସେତେବେଳେ ଓଡିଶା ସେମାନଙ୍କର ପ୍ରଥମ ପସନ୍ଦର କ୍ଷେତ୍ର ହେବ ।"
- ‘ଓଡିଶାରେ ଥିବା ଶିଳ୍ପ ସମ୍ଭାବନା ଓ ସରକାରଙ୍କ ନୀତି ସମ୍ପର୍କରେ ନିବେଶକଙ୍କୁ ଅବଗତ କରିବୁ’
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ ସିଙ୍ଗାପୁରରେ ମୋର ସ୍ପଷ୍ଟ ବାର୍ତ୍ତା ହେବ ଯେ, ବିଜିନେସ କରିବା ପାଇଁ ଓଡିଶା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି । ଭାରତର ବିକାଶର କାହାଣୀରେ ଓଡିଶା ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇ ଉଭା ହେବା ପାଇଁ ପ୍ରସ୍ତୁତ ଅଛି । ନିଜର ଉନ୍ନତ ଶିଳ୍ପ ବାତାବରଣ ପାଇଁ ସିଙ୍ଗାପୁର ପ୍ରସିଦ୍ଧ । ରସାୟନ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଲଜିଷ୍ଟିକ୍ସ, ଜାହାଜ ନିର୍ମାଣ, ଆର୍ଥିକ ସେବା, ଇଲୋକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ବସ୍ତ୍ର ନିର୍ମାଣରେ ଆଦି କ୍ଷେତ୍ରରେ ବିଶ୍ବର ବଡ ବଡ କମ୍ପାନୀମାନେ କାମ କରୁଛନ୍ତି । ସେହି ସବୁ କମ୍ପାନୀଗୁଡିକର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା ଆମେ କରିବୁ । ଓଡିଶାର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ ଓ ଆମର ଉନ୍ନତ ଶିଳ୍ପ ନୀତିଗୁଡିକ ସମ୍ପର୍କରେ ସେମାନଙ୍କୁ ଜଣାଇବୁ ।’’
- ସାଢେ 4କୋଟି ଓଡିଆଙ୍କ ପକ୍ଷରୁ ବିଦେଶ ଗସ୍ତ କରୁଛି: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ମୁଁ ଓଡିଶାର ସାଢ଼େ ୪ କୋଟି ଲୋକଙ୍କ ପକ୍ଷରୁ ଆମ ଟିମକୁ ନେଇ ବିଦେଶ ଯାତ୍ରା କରୁଛି । ଶିଳ୍ପ ଜଗତର ଶୀର୍ଷ ନେତୃତ୍ବଙ୍କୁ ବିକଶିତ ଓଡିଶା ଗଠନ, ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ ଓ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ନିମନ୍ତ୍ରଣ କରିବୁ । ଓଡ଼ିଶାର ପ୍ରତିନିଧି ଦଳ ସିଙ୍ଗାପୁରର ଟୁଆସ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ଏବଂ ITEES ସିଙ୍ଗାପୁର ଭଳି ବିଶ୍ବ ସ୍ତରୀୟ କମ୍ପାନୀ ପରିଦର୍ଶନ କରିବୁ । ସେମାନଙ୍କର ଉନ୍ନତ ବ୍ୟବସ୍ଥାକୁ ବୁଝିବା ସହିତ ଓଡିଶାରେ ମଧ୍ୟ ସେହି ଭଳି ବା ତା ଠାରୁ ଅଧିକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବୁ ।"
- ପ୍ରବାସୀ ଓଡିଆଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ମୁଁ ସିଙ୍ଗାପୁର ଏବଂ ପଡୋଶୀ ଏସୀୟ ଦେଶମାନଙ୍କରେ ଥିବା ପ୍ରବାସୀ ଓଡିଆ ଭାଇଭଉଣୀଙ୍କୁ ମଧ୍ୟ ଭେଟିବି । ସେମାନେ ଓଡିଆ ଭାଷା ଓ ସଂସ୍କୃତିର ବ୍ରାଣ୍ଡ ଆମ୍ବାସାଡର ହୋଇ ଆମକୁ ଗୌରବାନ୍ବିତ କରିଛନ୍ତି । ଓଡିଶା ଓ ସିଙ୍ଗାପୁରର ସମ୍ପର୍କକୁ ମଜବୁତ କରିବାରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ସେମାନଙ୍କ ସହିତ ଆଲୋଚନା କରି ଏ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କ ମତାମତ ଗ୍ରହଣ କରିବୁ । ସିଙ୍ଗାପୁର ଗସ୍ତରୁ ଓଡିଶାରେ କେମିକାଲ୍ସ, ଟେକ୍ସଟାଇଲସ, ଗ୍ରୀନ ଏନର୍ଜି, ଲଜିଷ୍ଟିକ୍ସ, ସିପ ବିଲ୍ଡିଙ୍ଗ ଓ ଇଲେକ୍ଟ୍ରୋନିକ୍ଲସ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବ । ଏହା ଦ୍ବାରା ଓଡିଶାରେ ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।"
ଇଟିଭି ଭାରତ, ଭୁବନେଶ୍ବର