ଗାନ୍ଧୀନଗର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ନିଜର ଡ୍ରିମ ପ୍ରୋଜେକ୍ଟ ସୁଦର୍ଶନ ସେତୁର ଲୋକାର୍ପଣ କରିବାକୁ ଯାଉଛନ୍ତି । ଏହା ଭାରତର ଦୀର୍ଘତନ କେବୁଲ ବ୍ରିଜ ବୋଲି କୁହାଯାଉଛି । ଯାହାକି ଗୁଜୁରାଟର ଓଖା ମେନଲ୍ୟାଣ୍ଡକୁ ବେଟ ଦ୍ବାରକା ସହିତ ସଂଯୋଗ କରିବ । ୪ ଲେନ ବିଶିଷ୍ଟ ଏହି ବ୍ରିଜର ଲମ୍ବ ୨.୩୩ କିମି ହୋଇଥିବା ବେଳେ ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି ।
ଓକା-ବେଟ ଦ୍ବାରକାକୁ ସଂଯୋଗ କରିବ:-ପ୍ରଧାନମନ୍ତ୍ରୀ ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ବାରକାକୁ ପରସ୍ପର ସହିତ ସଂଯୋଗ କରିବ । ଦ୍ବାରକା ଜିଲ୍ଲାରେ ୨୧ଟି ଭୂଖଣ୍ଡ ରହିଥିବା ବେଳେ ବେଟ ଦ୍ବାରକା ଦ୍ବୀପରେ ଜନବସତି ରହିଛି । ଏଠାରେ ପ୍ରାୟ ୧୨ ହଜାର ଲୋକ ବାସ କରନ୍ତି । କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ବେଟ ଦ୍ବାରକାରେ ବସବାସ କରୁଥିଲେ । ଏହାବାଦ ଏଠାରେ ମହାବୀର ହନୁମାନ ଓ ତାଙ୍କ ପୁତ୍ର ମକରଧ୍ବଜଙ୍କ ମନ୍ଦିର ମଧ୍ୟ ରହିଛି । ବିଶ୍ବର ଏହା ଏକମାତ୍ର ସ୍ଥାନ ଯେଉଁଠି ରହିଛି ମକରଧ୍ବଜଙ୍କ ମନ୍ଦିର ।
୭ ବର୍ଷ ପରେ ନିର୍ମାଣ କାର୍ଯ୍ୟ ଶେଷ:- ପୂର୍ବରୁ ଏହି ସ୍ଥାନକୁ ପର୍ଯ୍ୟଟକମାନେ ନୌକା ମାଧ୍ୟମରେ ଏଠାକୁ ଆସୁଥିଲେ । ତେବେ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୮୦ କୋଟି ଟଙ୍କା ବ୍ୟୟରେ ଏହି ସୁଦର୍ଶନ ସେତୁ ନିର୍ମାଣ ଲାଗି ଘୋଷଣା କରିଥିଲେ । ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ୭ ବର୍ଷ ଲାଗିଥିବା ବେଳେ ଆଜି ମୋଦି ଏହାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ଯାଉଛନ୍ତି । ସମୁଦ୍ରରେ ନିର୍ମାଣ ହୋଇଥିବା ଏହି ପୋଲର ନିର୍ମାଣ କାର୍ଯ୍ୟ ସମୟରେ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥିଲା । ଅନେକ ଆହ୍ବାନ ସତ୍ତ୍ବେ ଶେଷରେ ଏହି ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଏବେ ବ୍ୟବହାର ଲାଗି ପ୍ରସ୍ତୁତ ଅଛି ।