ନୂଆଦିଲ୍ଲୀ:ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁଣିଥରେ ଋଷର ରାଷ୍ଟ୍ରପତି ନିର୍ବାଚିତ ହେବା ପାଇଁ ମୋଦି ପୁଟିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ନେତାଙ୍କ ଆଲୋଚନାରେ ଉଭୟ ଦେଶର ମିଳିତ ପ୍ରସଙ୍ଗ ସହ ଋଷ-ୟୁକ୍ରେନ ଯୁଦ୍ଧର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ମଧ୍ଯ ଆଲୋଚନା ହୋଇଛି । ଏହି ଯୁଦ୍ଧ ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଓ କୂଟନୈତିକ ପନ୍ଥା ଆପଣାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।
ଭାରତ- ଋଷ ମଧ୍ୟରେ ଜାରି ରହିଥିବା ଦ୍ବିପାକ୍ଷିକ ସହଯୋଗ ପ୍ରସଙ୍ଗ ମଧ୍ୟ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ଆଲୋଚନାରେ ସ୍ଥାନ ପାଇଛି । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଦୀର୍ଘ ଦଶନ୍ଧିର ସହଯୋଗପୂର୍ଣ୍ଣ ସମ୍ପର୍କ ରହିଆସିଛି । ଆଗାମି ବର୍ଷରେ ମଧ୍ୟ ଏହି ରଣନୈତିକ ସମ୍ପର୍କ ଆହୁରି ସୁଦୃଢ ହେବା ନେଇ ଆଜିର କଥାବାର୍ତ୍ତାରେ ଉଭୟ ନେତା ଆଶାବ୍ୟକ୍ତ କରିଛନ୍ତି ।
ଦୁଇଦିନ ପୂର୍ବରୁ ଭ୍ଲାଦମିର ପୁଟିନ ପୁଣିଥରେ ଋଃଷର ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି । ସେତେବେଳେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପୁଟିନ ଆଗାମୀ 6ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ । ଲମ୍ବା ସମୟ ଧରି ରାଷ୍ଟ୍ରପତି ଦାୟିତ୍ବରେ ଥିବା ପୁଟିନ ଋଷ ଓ ବିଶ୍ବର ଜଣେ ପ୍ରମୁଖ ତଥା ଚର୍ଚ୍ଚିତ ରାଷ୍ଟ୍ରମୁଖ୍ୟ । ଆମେରିକା ବିରୋଧୀ ଭାବେ ଜଣାଶୁଣା ଋଷ ୟୁକ୍ରେନ ଉପରେ ଆକ୍ରମଣ କରି ସମଗ୍ର ବିଶ୍ବକୁ ସ୍ତବ୍ଦ କରିଦେଇଥିଲା । ଜାତିସଂଘ, ଆମେରିକା ସମେତ ତମାମ ପଶ୍ଚିମ ରାଷ୍ଟ୍ରସମୂହଙ୍କ ଚେତାବନୀ ସତ୍ତ୍ବେ ମଧ୍ୟ ଋଷର ସାମରିକ ଅଭିଯାନରେ ରୋକଲାଗିବ ନାହିଁ ବୋଲି କହିଥିଲେ ପୁଟିନ । ୟୁକ୍ରେନ ଉପରେ ଆକ୍ରମଣ ପରେ ପୁଟିନ ଗତ 2ବର୍ଷ ହେବ କୌଣସି ବିଦେଶ ଗସ୍ତ କରିନାହାନ୍ତି ।