ଚଳିତ ସରକାର ଶେଷ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ଦେଶରେ ଏବେ ବିରୋଧୀ ଦଳର ଯାହା ଭୂମିକା ରହିବା କଥା ତାହା ନାହିଁ । ବିରୋଧୀ ଦଳର ଏପରି ସ୍ଥିତି ପାଇଁ କେବଳ କଂଗ୍ରେସ ହିଁ ଦାୟୀ । ସେମାନେ ଜଣକୁ ଲଞ୍ଚ କରିବା ପାଇଁ ଅନ୍ୟମାନଙ୍କୁ ରୋକିଲେ । ହେଲେ ସେଥିରେ ବାରମ୍ବାର ବିଫଳ ହେଲେ । ଗତ କିଛି ବର୍ଷ ମଧ୍ୟରେ ଦେଶରେ ବେଶ କିଛି ଉନ୍ନତି ହୋଇଛି । ଦେଶବାସୀଙ୍କ ମନରେ ନୂଆ ଆଶାା ସଞ୍ଚାୟ ହୋଇଛି । ଆମର ଲକ୍ଷ୍ୟ ବୃହତ୍ତ ଓ ବିଶ୍ୱ ଏହାକୁ ଦେଖୁଛି । ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର 3ୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ଗତ ଦଶବର୍ଷରେ ବିଜେପି ଶାସନରେ ଦେଶରେ ଯାହା ପ୍ରଗତି ହୋଇଛି, ତାହା କଂଗ୍ରେସକୁ କରିବା ପାଇଁ 100 ବର୍ଷ ଲାଗିବ । ଆଜି ସପ୍ତଦଶ ଲୋକସଭାର ଶେଷ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଜେଟ ଅଧିବେଶନ ସମ୍ବୋଧନର ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନିଜ ସରକାରର ଉପଲବ୍ଧିର ଲମ୍ବାଚିଠା ଖୋଲିବା ସହ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଏକାଧିକ ପ୍ରସଙ୍ଗରେ କଡା ଟାର୍ଗେଟ କରିଛନ୍ତି । ଉଦାହରଣ ଛଳରେ ବିରୋଧୀଙ୍କ ଏକାଧିକ ଅଭିଯୋଗର ପ୍ରତିଉତ୍ତର ମଧ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ସମ୍ପୂର୍ଣ୍ଣ ତଥ୍ୟ ଆଧାରିତ:-ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ପୂର୍ଣ୍ଣ ସମ୍ବୋଧନ ତଥ୍ୟ ଉପରେ ଆଧାରିତ ଥିଲା । ସରକାରର ସମସ୍ତ ସଫଳତା ଓ ଉପଲବ୍ଧିକୁ ଏକାଠି ଉପସ୍ଥାପନା କରିବାର ଏକ ଅବସର ଛାଡିଛନ୍ତି ରାଷ୍ଟ୍ରପତି । ଦେଶର ପ୍ରତିବର୍ଗରେ ହୋଇଥିବା ଉନ୍ନତିକୁ ଏହି ଭାଷଣରେ ରାଷ୍ଟ୍ରପତି ସ୍ଥାନ ଦେଇଛନ୍ତି । ବିଜେପି ସରକାରର ଉପଲବ୍ଧି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ବୃହତ୍ତର ଲକ୍ଷ୍ୟ ନେଇ ଆଗକୁ ବଢୁଛି । ଆଜି ସାରା ବିଶ୍ବ ଭାରତକୁ ଦେଖୁଛି । ଗରିବଙ୍କ ପାଇଁ 4 କୋଟି ଘର ନିର୍ମାଣ କରାଯାଇଛି । 80 ଲକ୍ଷ ପକ୍କା ଘର ଗରିବଙ୍କୁ ମିଳିଛି । ଏବେ ଦେଶବାସୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ଗତ 10 ବର୍ଷରେ 25କୋଟି ଦେଶବାସୀ ଗରିବିର ରେଖାରୁ ବାହାରକୁ ବାହାରିଛନ୍ତି । ଅବସରକୁ ସଂସାଧନ ମାଧ୍ୟମରେ ସଫଳତାରେ ପରିବର୍ତ୍ତନ କରିବାକୁ ପ୍ରୟାସ ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ :- ଚଣ୍ଡୀଗଡ଼ ମେୟର ନିର୍ବାଚନକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ 'ଗଣତନ୍ତ୍ରର ହତ୍ୟା କରାଯାଇଛି'
ବିରୋଧୀ ଦଳର ଏପରି ସ୍ଥିତି ପାଇଁ କଂଗ୍ରେସ ହିଁ ଦାୟୀ :-ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ପ୍ରଭାବୀ ବିରୋଧୀଙ୍କ ଆବଶ୍ୟକତା ନିଶ୍ଚିତ ଅଛି । ହେଲେ ଏବେ ବିରୋଧୀଙ୍କ ଯେଉଁ ଅବସ୍ଥା, ସେଥିପାଇଁ କେବଳ କଂଗ୍ରେସ ହିଁ ଦାୟୀ । 10 ବର୍ଷରୁ ଅଧିକ ସମୟ ପାଇଥିଲେ ସୁଦ୍ଧା କଂଗ୍ରେସ ବିରୋଧୀ ଦଳର ପ୍ରଭାବୀ ଭୂମିକାକୁ ଆସିପାରିଲାନାହିଁ । ଏହି ସମୟରେ କଂଗ୍ରେସ ଯେଉଁ ଦାୟିତ୍ୱର ସହ କାର୍ଯ୍ୟ କରିବା କଥା କଲାନି । ଦଲ ଅନ୍ୟ ନେତା ଓ ଅନ୍ୟ ସହଯୋଗୀ ବିରୋଧୀ ପାର୍ଟିକୁ ସାମ୍ନାକୁ ଆସିବାକୁ କଂଗ୍ରେସ ହିଁ ଅବସର ଦେଇନି । କଂଗ୍ରେସର ‘ମହବତ କୀ ଦୁକାନ’ ନାରାକୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବାରମ୍ବାର ଗୋଟିଏ ପ୍ରଡକ୍ଟକୁ ଲଞ୍ଚ କରିବାକୁ ପ୍ରୟାସ କରି କଂଗ୍ରେସ ଆଜି ବିଫଳ ହୋଇଛି । ବହୁ ବରିଷ୍ଠ ନେତା ଚଳିତ ଲୋକସଭା ନିର୍ବାଚନ ଲଢିବେ ନାହିଁ । ବହୁ ବରିଷ୍ଠ ନେତା ରାଜ୍ୟସଭା ମଧ୍ୟ ଯାଇଛନ୍ତି । ପରିବାରବାଦ ବର୍ତ୍ତମାନର ରାଜନୀତିରେ ଚିନ୍ତାର ବିଷୟ ପାଲଟିଛି । କେହି ନିଜ ଦକ୍ଷତାରେ ରାଜନୀତିରେ ପ୍ରବେଶ କଲେ, ପରିବାରବାଦ ହୁଏନି । ହେଲେ ଗୋଟିଏ ପରିବାର ଦଳକୁ ନିୟନ୍ତ୍ରଣ କଲେ ଏହାକୁ ପରିବାରବାଦ ହିଁ କୁହାଯିବ । ଦେଶର ଲୋକତନ୍ତ୍ର ପ୍ରତି ପରିବାରବାଦ ଆଜି ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ନେହୁରୁଙ୍କୁ ମଧ୍ୟ ସମାଲୋଚନା:-ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି । ନେହେରୁ କେବେ ଭାରତୀୟଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ କରୁନଥିଲେ । ଭାରତୀୟମାନେ ଅନ୍ୟ ଦେଶର ନାଗରିକଙ୍କ ପରି କର୍ମଠ ନୁହନ୍ତି ବୋଲି ନେହେରୁ କହିଥିଲେ । ଏପରି ମନ୍ତବ୍ୟ ଦେଶବାସୀଙ୍କୁ ନିଚ୍ଚା ଦେଖାଇବା ପରି ଥିଲା ବୋଲି ମୋଦି କହିଛନ୍ତି ।
ଏଥର 400 ପାର:-ସମ୍ବୋଧନରେ 2024 ନିର୍ବାଚନରେ ବିଜେପି ଓ ଏନଡିଏର ବୃହତ୍ତ ବିଜୟର ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥର ‘ଏନଡିଏ’ ମେଣ୍ଟ 400 ଆସନରେ ବିଜୟ ଲାଭ କରିବାକୁ ଯାଉଛି । ଏବେ ଦେଶବାସୀଙ୍କୁ ‘ଏନଡିଏ’ ଶାସନରେ ଭରସା ରହିଛି । ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏକାକି 370 ଆସନ ଜିତିବା ସହ ‘ଏନଡିଏ’ ମେଣ୍ଟ 400 ଆସନ ପର୍ଯ୍ୟନ୍ତ ପହଞ୍ଚିବ । ପୁରା ଦେଶ କହୁଛି, ‘ଅବ କି ବାର 400 ପାର...’ । ତୃତୀୟ କାର୍ଯ୍ୟକାଳ ସହ ଭାରତ ଉପଲବ୍ଧିର ନୂଆ ଉଚ୍ଚତାକୁ ଛୁଇଁବ । ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ