ନୂଆଦିଲ୍ଲୀ:ଜି-7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଦୁଇ ଦିନିଆ ଇଟାଲୀ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ ଫେରିଛନ୍ତି । ସେ ଆଜି ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହାଥିଲା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ ଓ ପ୍ରଥମ ଶିଖର ସମ୍ମିଳନୀ । ବୁଧବାର ସେ ଇଟାଲୀ ଗସ୍ତରେ ବାହାରିଥିବା ବେଳେ ଗତକାଲି ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହାପରେ ପାର୍ଶ୍ବ କାର୍ଯ୍ୟକ୍ରମ ଭାବେ ଏକାଧିକ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ବ୍ୟକ୍ତିଗତ ସାକ୍ଷାତ ଓ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଇଟାଲୀ ଗସ୍ତ କରିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ବ୍ୟକ୍ତିଗତ ସାକ୍ଷାତ ମଧ୍ୟ ହୋଇଛି । ଋଷ ୟୁକ୍ରେନ ଯୁଦ୍ଧ ଓ ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ଉପରେ ଉଭୟ ନେତା ଆଲୋଚନା କରିଥିଲେ ।
ଅନ୍ୟତମ ଅନ୍ତର୍ଜାତୀୟ ତଥା ଶିଖର ସଂଗଠନ ହେଉଛି G-7 । ଏଥିରେ ଆମେରିକା, ଜାପାନ, କାନାଡା, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବ୍ରିଟେନ ପରି ଶକ୍ତିଶାଳୀ ୟୁରୋପୀୟ ଦେଶମାନେ ସଦସ୍ୟ ଭାବେ ରହିଛନ୍ତି । ପ୍ରତିବର୍ଷ ଏହି ସଂଗଠନର ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଥାଏ । ବିଭିନ୍ନ ସାମ୍ପ୍ରତିକ ଓ ବୈଶ୍ବିକ ପ୍ରସଙ୍ଗରେ ମାନସ ମନ୍ଥନ କରିବା ସହ ପାରସ୍ପରିକ ସହଯୋଗ ଓ ବୁଝାମଣା ବୃଦ୍ଧି କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଚଳିତଥରର ଆୟୋଜନ ଇଟାଲୀ ଗ୍ରହଣ କରିଥିଲା । ସଂଗଠନର ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ବ୍ୟତୀତ ବହୁ ରାଷ୍ଟ୍ରମାନେ ନିମନ୍ତ୍ରିତ ଅତିଥି ଭାବେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି । ଚଳିତଥର ଭାରତ ସମେତ ଏକାଧିକ ରାଷ୍ଟ୍ର ନିମନ୍ତ୍ରିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।