ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ବିୟୋଗରେ ପୁରା ଦେଶରେ ଶୋକ । ମୋତିଲାଲା ନେହେରୁ ବାସଭବନରେ ମନମୋହନଙ୍କ ଶେଷ ଦର୍ଶନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ । ଶେଷ ଦର୍ଶନ ପରେ ଭାବବିହ୍ବଳ ହୋଇପଡିଛନ୍ତି ପ୍ରଧାନମନ୍ତ୍ରୀ । ଏକ ଭିଡିଓ ପୋଷ୍ଟ କରି ଦୁଃଖ ପ୍ରକାଶ କରିବା ସହ ଦେଶ ପାଇଁ ତାଙ୍କର ଅବଦନ ସମ୍ପର୍କରେ ଜଣାଇ ସମ୍ବୋଧନ କରିଛନ୍ତି ।
'ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ':
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ମନମୋହନ ସିଂହଙ୍କ ଅସାଧାରଣ ରାଜନୈତିକ ଯାତ୍ରାକୁ ମନେ ପକାଇଛନ୍ତି । ବିଭାଜନ ସମୟର ଆହ୍ବାନ ଠାରୁ ଆରମ୍ଭ କରି ଭାରତର ଅର୍ଥନୈତିକ ସଂସ୍କାର ଆଣିବା ପର୍ଯ୍ୟନ୍ତ ଏବଂ ନମ୍ରତା ଏବଂ ବୁଦ୍ଧିମାନ ବ୍ୟକ୍ତି ଭାବରେ ତାଙ୍କର ସଂସଦୀୟ ଜୀବନୀ ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ ।
'ସଂଘର୍ଷରୁ ଉପରକୁ ଉଠି ଆଗକୁ ଯିବାକୁ ପ୍ରେରଣା ଦିଏ ମନମୋହନଙ୍କ ଜୀବନୀ':
ପ୍ରଧାନମନ୍ତ୍ରୀ କହିଛନ୍ତି "ମନମୋହନ ସିଂ ଜୀଙ୍କର ପରଲୋକ ଆମେ ସମସ୍ତେ ମର୍ମାହତ । ତାଙ୍କର ବିୟୋଗ ଦେଶ ପାଇଁ ଏକ ବଡ କ୍ଷତି। ବିଭାଜନ ସମୟରେ ଭାରତକୁ ଆସିବା ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା କିଛି ସାଧାରଣ ଉପଲବ୍ଧି ନୁହେଁ। ତାଙ୍କ ଜୀବନ ଆମକୁ ଶିକ୍ଷା ଦିଏ କିପରି ସଂଘର୍ଷରୁ ଉପରକୁ ଉଠି ଆଗକୁ ଯିବା, ଏହି ଶିକ୍ଷା ଆଗାମୀ ପିଢିକୁ ମାର୍ଗଦର୍ଶନ କରିବ। ସେ ଜଣେ ଦୟାଳୁ ମଣିଷ, ଦକ୍ଷ ଅର୍ଥନୀତିଜ୍ଞ ଏବଂ ସଂସ୍କାର ପାଇଁ ଉତ୍ସର୍ଗୀକୃତ ନେତା ଭାବରେ ସେ ସର୍ବଦା ମନେ ରହିବେ । ''
'ଦେଶକୁ ଆର୍ଥିକ ଶଙ୍କଟରୁ ମୁକ୍ତ କରିଥିଲେ ମନମୋହନ ସିଂହ':
ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେଶ ପ୍ରତି ଅବଦାନକୁ ମଧ୍ୟ ମନେ ପକାଇଛନ୍ତି। ମୋଦି ଆହୁରି ମଧ୍ୟ କହିଛନ୍ତି "ଜଣେ ଅର୍ଥନୀତିଜ୍ଞ ଭାବରେ ସେ ବିଭିନ୍ନ ସ୍ତରରେ ଅନେକ କ୍ଷମତାରେ ଭାରତ ସରକାରଙ୍କ ସେବା କରିଥିଲେ। ଏକ ସଙ୍କଟ ସମୟରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଭୂମିକା ଗ୍ରହଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ପି.ଭି ନରସିଂହରାଓ ସରକାରରେ ଅର୍ଥମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ, ସେହି ସମୟରେ ଦେଶକୁ ଆର୍ଥିକ ଶଙ୍କଟରୁ ମୁକ୍ତ କରିଥିଲେ ଓ ଏକ ନୂଆ ଅର୍ଥନୀତିର ପଥ ପରିଷ୍କାର କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ଦେଶର ଅଗ୍ରଗତି ତଥା ବିକାଶରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ । ଲୋକଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ଦେଶର ବିକାଶ ପାଇଁ ତାଙ୍କୁ ମନେରଖିବ ଦେଶ ।'' ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ ମନମୋହନ ସିଂହଙ୍କ ଜୀବନ ତାଙ୍କର ସଚ୍ଚୋଟତା ଏବଂ ସରଳତାର ପ୍ରତିବିମ୍ବ। ''
'ଦଳଗତ ରାଜନୀତିରୁ ଉପରେ ରହି ସମସ୍ତଙ୍କ ସହ ମିଶୁଥିଲେ':
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ''ଚଳିତ ବର୍ଷ ପ୍ରାରମ୍ଭରେ ଯେତେବେଳେ ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ସରିଥିଲା ସେତେବଳେ ମୁଁ କହିଥିଲି ସାଂସଦ ଭାବରେ ତାଙ୍କର ନିଷ୍ଠା, ସମସ୍ତଙ୍କ ପାଇଁ ପ୍ରେରଣା । ଅଧିବେଶନ ସମୟରେ ସେ ହ୍ବିଲ ଚେୟାରରେ ବସି ସଂସଦକୁ ଆସୁଥିଲେ । ନିଜର କାର୍ଯ୍ୟ କରୁଥିଲେ । ଅନେକ ବଡ ବଡ ପଦବୀରେ ରହି ମଧ୍ୟ ସେ ନିଜର ପୃଷ୍ଟଭୂମୀର ମୂଲ୍ୟବୋଧକୁ ଭୁଲିନଥିଲେ । ଦଳଗତ ରାଜନୀତିରୁ ଉପରୁ ଉଠି ସେ ସବୁଦିନ ସମସ୍ତ ଦଳର ବ୍ୟକ୍ତି ସହ ସମ୍ପର୍କ ରଖିଥିଲେ । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ସେତେ ବେଳେ ତାଙ୍କ ସହ ରାଷ୍ଟ୍ରୀୟ ଅନ୍ତରାଷ୍ଟ୍ରୀୟ ବିଷୟରେ ଖୋଲା ମନରେ ଚର୍ଚ୍ଚା କରିଛି । ଦିଲ୍ଲୀ ଆସିବା ପରେ ବି ତାଙ୍କ ସହ କଥା ହୋଇଛି ଭେଟିଛି ମଧ୍ୟ । ତାଙ୍କ ସହ ଦେଶକୁ ନେଇ କରିଥିବା ଚର୍ଚ୍ଚା ମୋର ମନେ ରହିବ ।'' ସବୁ ଦେଶବାସୀଙ୍କ ତରଫରୁ ମୁଁ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।