ଗୌହାଟୀ:ସମ୍ବଲପୁରରେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ)ର ନୂତନ ତଥା ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି ସଂଧ୍ୟାରେ ଆସାମରେ ପହଞ୍ଚିଛନ୍ତି । ଏହି ଦୁଇଦିନିଆ ଗସ୍ତରେ ସେଠାରେ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାୟ 11,599 କୋଟି ବ୍ୟବବରାଦରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର କରିବା ସହ ସାଧାରଣ ସଭାକୁ ସମ୍ବୋଧିତ ମଧ୍ୟ କରିବେ । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଗୌହାଟୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ଆସାମ ରାଜ୍ୟପାଳ ଗୁଲାବଚାନ୍ଦ କଟାରିଆ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ତାଙ୍କୁ ସ୍ବାଗତ କରିଥିଲେ ।
ଆସନ୍ତାକାଲି (ରବିବାର) ଗୌହାଟୀର ଖାନାପରାର ଭେଟେନାରୀ କଲେଜ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ‘ମା କାମାକ୍ଷା ଦିବ୍ୟ ପରିଯୋଜନା’ ପ୍ରକଳ୍ପ ରହିଛି । ଯାହା କେନ୍ଦ୍ର ସରକାରଙ୍କ ଉତ୍ତର-ପୂର୍ବ ବିକାଶ ଯୋଜନା (ପିଏମ ନର୍ଥ-ଇଷ୍ଟ ଇନିସିଏଟିଭିସ) ଅଧୀନରେ ହେବାକୁ ଯାଉଛି । ସମଗ୍ର ଉତ୍ତର-ପୂର୍ବ ତଥା ଦେଶର ପ୍ରମୁଖ ଆଧ୍ୟାତ୍ମିକ ପୀଠ ମଧ୍ୟରେ ଅନ୍ୟତମ କାମାକ୍ଷା ମନ୍ଦିରର ଭିତ୍ତିଭୂମି ବିକାଶ ଏହି ପ୍ରକଳ୍ପ ଅଧୀନରେ ରହିଛି ।
ଏହା ସହ 11,599 କୋଟି ଟଙ୍କାର ବ୍ୟବବରାଦରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ସହ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଏହା ମଧ୍ୟରେ 3,400 କୋଟିରୁ ଅଧିକ ବ୍ୟୟବରାଦରେ ଅନେକ ସଡକ ଉନ୍ନୟନ ପ୍ରକଳ୍ପର ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଯେଉଁଥିରେ 38ଟି ସେତୁ ସମେତ 43ଟି ରାସ୍ତା ରହିଛି । ଏହି ଯୋଗାଯୋଗ ଭିତ୍ତିଭୂମି ଦକ୍ଷିଣ-ଏସିଆ ସବ-ରିଜିଓନାଲ ଅର୍ଥନୈତିକ ସହଯୋଗ (SASEC) କରିଡର କନେକ୍ଟିଭିଟିର ଅଂଶ ଭାବରେ ବିକଶିତ ହେବ । ଏହା ଆସମ ସମେତ ସମଗ୍ର ଉତ୍ତର-ପୂର୍ବ ଭାରତ ଓ ଦକ୍ଷିଣ-ଏସିଆର ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନକୁ ନୂଆ ଗତି ଦେବ ।