ବିଶାଖାପାଟନମ:ଉନ୍ମୋଚିତ ହେବାକୁ ଯାଉଛି ରାମୋଜୀ ରାଓଙ୍କ ୭.୫ ଫୁଟର ପ୍ରତିମୂର୍ତ୍ତି । ତେଲୁଗୁ ସମାଜ ପ୍ରତି ତାଙ୍କର ଥିବା ଅବଦାନକୁ ସମ୍ମାନ ଜଣାଇ ଏହି ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି । ଏହାସହ ଗଣମାଧ୍ୟମ ଜଗତର ଏହି ବାଦଶାହଙ୍କ ଉଦ୍ଦେଶ୍ୟରେ ନିର୍ମିତ ପ୍ରତିମୂର୍ତ୍ତି ଖୁବଶୀଘ୍ର ଉନ୍ମୋଚନ କରାଯିବ । ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର କୋନାସୀମା ଜିଲ୍ଲାର କୋଠାପେଟରେ ପ୍ରସିଦ୍ଧ ମୂର୍ତ୍ତି କାରିଗର ରାଜକୁମାର ବୁଡୟାର ରାମୋଜୀ ରାଓଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଇନାଡୁର ଜନକ ହେଉଛନ୍ତି ରାମୋଜୀ ଗ୍ରୁପ ଅଧ୍ୟକ୍ଷ ରାମୋଜୀ ରାଓ । ଆଉ ବିଶାଖାପାଟନମ ଇନାଡୁର ଜନ୍ମସ୍ଥାନ ହୋଇଥିବାରୁ ରାମୋଜୀ ରାଓଙ୍କ ଅବଦାନ ଓ ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି ।
ମୂର୍ତ୍ତି କାରିଗର ରାଜକୁମାରଙ୍କ ଦ୍ବାରା ଚାଲିଥିବା ଏହି ପ୍ରତିମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜକୁମାର ଏହି ପ୍ରତିମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବାବେଳେ ଖୁବଶୀଘ୍ର ଏହା ଉନ୍ମୋଚନ ହେବାକୁ ଯାଉଛି । ମୂର୍ତ୍ତି କାରିଗରଙ୍କ କହିବା ଅନୁସାରେ, "ବିଜୟନଗରମ ସାଂସଦ କାଲିଶେଟ୍ଟୀ ଅପ୍ପଲାନାୟଡୁ ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ କାରିଗରଙ୍କ ସହ ଯୋଗାଯୋଗ କରିଥିଲେ । ରାମୋଜୀ ରାଓଙ୍କ ବହୁ ଫଟୋ ଦେଖିବା ପରେ ମୁଁ ସେଥିମଧ୍ୟରୁ ଏକ ଫଟୋ ଚୟନ କରିଥିଲି । ସେହି ଫଟୋ ରାଓଙ୍କୁ ୬୦ ବର୍ଷ ବୟସ ହୋଇଥିବା ସମୟର ଥିଲା । ଆଉ ସେହି ଫଟୋ ସାହାଯ୍ୟରେ ମୁଁ ରାଓଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛି । ମାତ୍ର ୪ ଦିନରେ ହିଁ ମୂର୍ତ୍ତି ଗଢିବାରେ ଆମେ ସଫଳ ହୋଇଛୁ ।"