ଓଡିଶା

odisha

ETV Bharat / bharat

କୋଭାକ୍ସିନକୁ ନେଇ ବଡ ଖବର; ଟିକା ନେଇଥିବା ଲୋକଙ୍କ ଠାରେ ଦେଖାଯାଉଛି ଗୁରୁତର ରୋଗ - Covaxin adverse effect

Covaxin recipients report adverse events: କୋଭିସିଲ୍ଡ ଭଳି କୋଭାକ୍ସିନ ଟିକାରେ ବି ଦେଖାଯାଉଛି ପାର୍ଶ୍ବ ପ୍ରତିକ୍ରିୟା । ମାଂସପେଶୀ ଓ ଅସ୍ଥି ସମସ୍ୟା, ସ୍ନାୟୁରୋଗ ଓ ଚର୍ମତଳି ରୋଗ ଭଳି ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : May 17, 2024, 12:18 PM IST

କୋଭାକ୍ସିନକୁ ନେଇ ବଡ ଖବର; କୋଭିସିଲ୍ଡ ଭଳି ଏଥିରେ ବି ଦେଖାଯାଉଛି ପାର୍ଶ୍ବ ପ୍ରତିକ୍ରିୟା
କୋଭାକ୍ସିନକୁ ନେଇ ବଡ ଖବର; କୋଭିସିଲ୍ଡ ଭଳି ଏଥିରେ ବି ଦେଖାଯାଉଛି ପାର୍ଶ୍ବ ପ୍ରତିକ୍ରିୟା (ETV Bharat Odisha)

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନକୁ ନେଇ ଆସିଲା ବଡ଼ ଖବର । କୋଭିସିଲ୍ଡ ଭଳି କୋଭାକ୍ସିନରେ ମଧ୍ୟ ଦେଖାଯାଉଛି ପାର୍ଶ୍ବ ପ୍ରତିକ୍ରିୟା । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ (ବିଏଚୟୁ) ପକ୍ଷରୁ କୋଭାକ୍ସିନ ଟିକାର ଦୀର୍ଘମିଆଦି ପ୍ରଭାବକୁ ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ, କୋଭାକ୍ସିନ ନେଇଥିବା ଏକ ତୃତୀୟାଂଶ ଲୋକଙ୍କ ମଧ୍ୟରେ 'ବିଶେଷ ପ୍ରତିକୂଳ ପ୍ରଭାବ' ଅଥବା 'AESI' (Adverse effects of special interest) ଦେଖିବାକୁ ମିଳିଛି । ୩୦ ପ୍ରତିଶତ ଲୋକେ ଗୁରୁତର ରୋଗର ସାମ୍ନା କରୁଥିବା ଅଧ୍ୟୟନରେ ଦାବି କରାଯାଇଛି ।

ଟିକା ନେଇଥିବା ଲୋକଙ୍କ ଠାରେ ଦେଖାଯାଉଛି ଗୁରୁତର ରୋଗ (ETV Bharat Odisha)

ରିପୋର୍ଟ ଅନୁଯାୟୀ, ବିଏଚୟୁ ଭ୍ୟାକ୍ସିନ ନେଇଥିବା ୯୨୬ ଜଣଙ୍କ ଉପରେ ଅଧ୍ୟୟନ କରିଥିଲା । ସେମାନଙ୍କ ମଧ୍ୟରେ ୬୩୫ କିଶୋର ଓ ୨୯୧ ପ୍ରାପ୍ତ ବୟସ୍କ ସାମିଲ ରହିଥିଲେ । ଯେଉଁଥିରେ ଏକ ତୃତୀୟାଂଶ ଲୋକେ ଏଇଏସଆଇ ରିପୋର୍ଟ କରିଥିଲେ । ଏହି ବ୍ୟକ୍ତିମାନଙ୍କ ଠାରେ ଷ୍ଟ୍ରୋକ ଓ ଗିଲେନବାର ସିଣ୍ଡ୍ରୋମ ଭଳି ଗୁରୁତର ଏଇଏସଆଇ ଲକ୍ଷଣ ଦେଖିବାକୁ ମିଳିଥିଲା । କିଶୋରଙ୍କ ଠାରେ ଦେଖାଯାଇଥିବା ଆଇଏସଆଇ ମଧ୍ୟରେ ସାଧାରଣ ସମସ୍ୟା, ଚର୍ମ ଓ ଚର୍ମତଳି ରୋଗ ଓ ସ୍ନାୟୁପ୍ରଣାଳୀରେ ସମସ୍ୟା ଆଦି ରହିଥିଲା । ସେହିପରି ପ୍ରାପ୍ତବୟସ୍କଙ୍କ ଠାରେ ମାଂସପେଶୀ ଓ ଅସ୍ଥି ସମସ୍ୟା, ସ୍ନାୟୁରୋଗ ସହ ସାଧାରଣ ସମସ୍ୟା ଦେଖାଯାଇଥିଲା । ସେଥିମଧ୍ୟରେ ଉପର ଶ୍ବାସନଳୀରେ ସଂକ୍ରମଣ ସବୁଠୁ ସାଧାରଣ ଅଭିଯୋଗ ରହିଥିଲା । ଅନ୍ୟ ପାର୍ଶ୍ବପ୍ରତିକ୍ରିୟା ମଧ୍ୟରେ ମାଂସପେଶୀ ରୋଗ, ଋତୁସ୍ରାବ ଅନିୟମିତା, ଆଖି ସମସ୍ୟା ଇତ୍ୟାଦି ଅନ୍ତର୍ଭୁକ୍ତ ।

ଏହା ମଧ୍ୟ ପଢନ୍ତୁ: କୋଭିସିଲ୍ଡ ଭ୍ୟାକସିନର ସାଇଡ ଇଫେକ୍ଟ: ରକ୍ତ ଜମାଟ ବାନ୍ଧିବା ସହ ହୋଇପାରେ ମସ୍ତିଷ୍କଘାତ ଓ ହୃଦଘାତ, କମ୍ପାନୀର ସ୍ୱୀକାର - Covishield Side Effect

କିଛି ଦିନ ପୂର୍ବରୁ କୋଭିସିଲ୍ଡ ଟିକା ବିବାଦ ଘେରକୁ ଆସିଥିଲା । ଏହି ଟିକାରେ ରକ୍ତ ଜମାଟ (ବ୍ଲଡ କ୍ଲଟ) ଭଳି ବିରଳ ପାର୍ଶ୍ବପ୍ରତିକ୍ରୟା ଦେଖାଯାଉଥିବା ଜଣାପଡିଥିଲା । ଯାହାଦ୍ବାରା ହୃଦଘାତ ଓ ମସ୍ତିଷ୍କଘାତ ହୋଇପାରେ । ରକ୍ତରେ ପ୍ଲେଟଲେଟର ପରିମାଣ ମଧ୍ୟ କମିପାରେ । ଏହି ଟିକା ପ୍ରସ୍ତୁତକାରୀ ବ୍ରିଟିଶ କମ୍ପାନୀ ଆଷ୍ଟ୍ରାଜେନେକା କୋର୍ଟରେ ଏହା ସ୍ବୀକାର କରିବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏବେ ପାର୍ଶ୍ବ ପ୍ରତିକ୍ରିୟା ନେଇ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ କୋଭାକ୍ସିନ ମଧ୍ୟ ବିବାଦ ଘେରକୁ ଆସିଛି ।

ABOUT THE AUTHOR

...view details