ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର କିଛି ଦିନ ପୂର୍ବରୁ ନିର୍ବାଚନ ଆୟୁକ୍ତ ଅରୁଣ ଗୋଏଲଙ୍କ ଇସ୍ତଫାକୁ ନେଇ ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ । ସରକାରଙ୍କ ଚାପରୁ ନିର୍ବାଚନ ଆୟୋଗ ପରି ସାମ୍ବାଧାନିକ ସଂସ୍ଥା ମଧ୍ୟ ନୁହନ୍ତି । ଫଳରେ ନିର୍ବାଚନ ପୂର୍ବରୁ ଜଣେ ଆୟୁକ୍ତ ଇସ୍ତଫା ଦେଲେ ବୋଲି କହିଛନ୍ତି ବିରୋଧୀ ଦଳ । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ସିଧାସଳଖ ମୋଦି ନେତୃତ୍ବାଧୀନ ବିଜେପି ସରକାରର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ନିର୍ବାଚନ ଆୟୋଗ ପରି ସାମ୍ବିଧାନିକ ଅନୁଷ୍ଠାନ ଉପରେ କାହାର ଚାପ ରହିଛି ? ମୁଖ୍ୟ ନିର୍ବାଚନ କମିଶନର କିମ୍ବା ସରକାରଙ୍କ ସହ କୌଣସି ମତଭେଦ ହେତୁ ଅରୁଣ ଗୋଏଲ ଏହି ପଦକ୍ଷେପ ନେଇଛନ୍ତି କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ?
କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ଯୋଗାଯୋଗ ବ୍ୟାପାର ମୁଖ୍ୟ ଜୟରାମ ରମେଶ ପ୍ରଶ୍ନ କରିଛନ୍ତି, ଗୋଏଲ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି କି ? ସେ ତାଙ୍କ ଇସ୍ତଫାପତ୍ରରେ ସେପରି କିଛି ଉଲ୍ଲେଖ କରିଛନ୍ତି କି ? ନା ସେ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ପରି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, କାରଣ ସମ୍ପର୍କରେ ସ୍ପଷ୍ଟ ହେବାକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।