ହାଇଦ୍ରାବାଦ:ତେଲେଙ୍ଗାନାରେ ହୃଦୟ ବିଦାରକ ଘଟଣା । ବର୍ଷକର ଶିଶୁପୁତ୍ରକୁ ଝୁଣି ଝୁଣି ମାରିଦେଲେ ବୁଲା କୁକୁର । କୋମଳ ଶିଶୁଟି ନିଜ ବାପା ସହ କୁଡିଆରେ ଶୋଇଥିବା ବେଳେ ବୁଲା କୁକୁର ପଲ ତାକୁ ଟାଣି ନେଇ ଝୁଣି ଖାଇଛନ୍ତି । ଗୁରୁବାର ସକାଳେ ରଙ୍ଗାରେଡ୍ଡି ଜିଲ୍ଲାର ଶମଶଦାବାଦ ସହରରେ ଏହି ସମ୍ବେଦନଶୀଳ ଘଟଣା ଘଟିଛି । କୁକୁର ଆକ୍ରମଣରେ ନିରୀହ ଶିଶୁଟିର ଜୀବନ ଚାଲିଯାଇଛି । ତେବେ ଗତ ବର୍ଷ ମାର୍ଚ୍ଚରୁ ସହରରେ ବୁଲା କୁକୁର ଆକ୍ରଣରେ ଏହା ହେଉଛି ନବମ ଘଟଣା ।
ପୋଲିସ ସୂଚନା ମୁତାବକ, ସୂର୍ଯ୍ୟକୁମାର ନାମକ ବ୍ୟକ୍ତି ନିଜର ପତ୍ନୀ ୟଦମ୍ମା ଓ ବର୍ଷକର ପୁଅ ନାଗାରାଜୁ ସହ ଶମଶଦାବାଦରେ ରହୁଥିଲେ । ତାଙ୍କ ଘର ମହେବୁବନଗର ଜିଲ୍ଲାରେ ହୋଇଥିବା ବେଳେ ସେ ଏଠି ଶ୍ରମିକ ଭାବେ କାମ କରୁଥିଲେ । ସୂର୍ଯ୍ୟକୁମାରଙ୍କ ପତ୍ନୀ ଗର୍ଭବତୀ ଥିଲେ । ପ୍ରସବ ପାଇଁ ସେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବୁଧବାର ରାତିରେ ସୂର୍ଯ୍ୟକୁମାର ବର୍ଷକର ପୁଅ ସହ ନିଜ କୁଡିଆ ଘରେ ଥିଲେ । ରାତିରେ ଶିଶୁ କାନ୍ଦିବାରୁ ସେ ତାଙ୍କୁ କ୍ଷୀର ପିଆଇ ଶୁଆଇ ଦେଇଥିଲେ ।