ଆଇଜୋଲ:ବର୍ମା ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଲ୍ୟାଣ୍ଡିଂ ସମୟରେ କ୍ରାସ ହେଲା ବର୍ମା(ମିଆଁମାର) ସେନାର ହେଲିକପ୍ଟର । ଆଜି(ମଙ୍ଗଳବାର) ମିଜୋରାମରେ ଏହି ବିମାନ ଦୁର୍ଘଟଣା ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ, ବିମାନରେ ପାଇଲଟ ସମେତ 14 ଜଣ ଯାତ୍ରା କରୁଥିଲେ । ତେବେ ଲେଙ୍ଗପୁଇ ଏୟାରପୋର୍ଟ ନିକଟରେ ସେନା ବିମାନ ଦୁର୍ଘଟଣା ହୋଇଛି । ତେବେ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ 6ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଲେଙ୍ଗପୁଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ମିଜୋରାମ ଡିଜିପି ସୂଚନା ଦେଇଛନ୍ତି ।
ତେବେ ଏକ ଜମିରେ ବିମାନଟି ଖସିପଡ଼ିଥିବା ନେଇ ଦୁର୍ଘଟଣା ପରେ ସାମ୍ନାକୁ ଆସିଥିବା ଫଟୋରେ ଦେଖାଯାଇଛି । ଦୁର୍ଘଟଣା ପରେ ସେନା କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନ୍ୟୁଜ ଏଜେନ୍ସି ଏଏନଆଇ ପକ୍ଷରୁ ସେନା ବିମାନ ଦୁର୍ଘଟଣାପରର ଭିଡିଓ ଜାରି କରାଯାଇଛି । ତେବେ 582 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖାଯାଇଛି । ତେବେ କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣା ହେଲା ଏନେଇ କୌଣସି ତଥ୍ୟ ହସ୍ତଗତ ହୋଇପାରିନାହିଁ । ଲେଙ୍ଗପୁଇ ଆଇଜୋଲରେ ଅବସ୍ଥିତ ଏକ ଘରୋଇ ବିମାନ ବିମାନବନ୍ଦର ଅଟେ । ସୂଚନା ଅନୁସାରେ, ଭାରତ-ମିଆଁମାର ସୀମା ପାର କରି ଗତ ସପ୍ତାହରେ କିଛିଜଣ ସେନା ମିଜୋରାମରେ ପ୍ରବେଶ କରିଥିଲେ। ତେବେ ସେମାନଙ୍କୁ ଏୟାରଲିଫ୍ଟ କରିବା ପାଇଁ ମିଆଁମାରରୁ ଏହି ବିମାନ ଆସିଥିବା ବେଳେ ଲେଙ୍ଗପୁଇ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।