ଭୁବନେଶ୍ବର: ଏଣିକି ମନ ମୁତାବକ ବଦଳି ଓ ନିଯୁକ୍ତି ଲାଗି ଚାପ ପକାଇପାରିବେନି ଅଧିକାରୀ । ଏପରି ଆଚରଣକୁ ବରଦାସ୍ତ କରିବେନି ରାଜ୍ୟ ସରକାର । ଏଭଳି ବ୍ୟବହାର କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଆଜି(ସୋମବାର) ଚିଠିରେ ଏହା କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା । ରାଜ୍ୟ ସରକାରଙ୍କ କିଛି ଅଧିକାରୀ ମନ ମୁତାବକ ବଦଳି ଓ ନିଯୁକ୍ତି ଲାଗି ଉପରିସ୍ଥ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି । ବଦଳି ଓ ନିଯୁକ୍ତି ମାମଲାରେ ବାହ୍ୟ ପ୍ରଭାବ ବା ଚାପ ପ୍ରୟୋଗ କରିବାକୁ ପଛ ଘୁଞ୍ଚା ଦେଉନାହାନ୍ତି ଏହି ସରକାରୀ ଅଧିକାରୀ । ରାଜ୍ୟ ସରକାରଙ୍କ ନଜର ଏଭଳି ପୁଳା ପୁଳା ଅଭିଯୋଗ ଆସିବାରେ ଲାଗିଛି । ଯାହାକୁ ଗୁରୁତ୍ବର ସହ ନେଇଛନ୍ତି ସରକାର । ଏଭଳି ଆଚରଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କଡା ଚେତାବନୀ ଶୁଣାଇଛନ୍ତି ମୁଖ୍ୟ ଶାସନ ସଚିବ ।
ସଚିବ ଓ ଜିଲ୍ଲାପାଳଙ୍କୁ ଚିଠି:
ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଆଜି ସମସ୍ତ ବିଭାଗର ସଚିବ ଓ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଏହି ଚିଠିରେ ସରକାରୀ ଅଧିକାରୀଙ୍କ ଗୁମର ଫିଟିଛି । ରାଜ୍ୟ ସରକାରଙ୍କ କିଛି ଅଧିକାରୀ ସେବା ଆଚରଣ ନିୟମର ଉଲ୍ଲଘଂନ କରୁଥିବା ସ୍ପଷ୍ଟ ହୋଇଛି । ମୁଖ୍ୟ ଶାସନ ସଚିବ ଚିଠିରେ ଦର୍ଶାଇଛନ୍ତି, "ମନ ମୁତାବକ ବଦଳି ଓ ନିଯୁକ୍ତି ଲାଗି କିଛି ଅଧିକାରୀ ଉପରିସ୍ଥ ଅଧିକାରୀଙ୍କ ଉପରେ ଚାପ ପକାଉଛନ୍ତି । ସେହିପରି ଉକ୍ତ ମାମଲାରେ ବାହ୍ୟ ପ୍ରଭାବ ବା ଚାପ ପ୍ରୟୋଗ କରିବାକୁ ପଛ ଘୁଞ୍ଚା ଦେଉନାହାନ୍ତି । ଦାୟିତ୍ୱ ଛାଡି ମୁଖ୍ୟାଳୟରେ ଡେରା ପକାଇଉଛନ୍ତି ଏହି ଅଧିକାରୀ । ଓଡିଶା ସରକାରୀ ସେବା କଣ୍ଡକ୍ଟ ରୂଲ 1959ର ସିଧାସଳଖ ଉଲ୍ଲଘଂନ ।
କଣ ରହିଛି ଆଇନ ?
- ସରକାରୀ ନିଯୁକ୍ତି, ବଦଳି, ପଦୋନ୍ନତି ଓ ଅନ୍ୟାନ୍ୟ ସର୍ଭିସ ସର୍ତ୍ତାବଳୀ ପାଇଁ ଉପରିସ୍ଥ ଅଧିକାରୀଙ୍କ ଉପରେ ଚାପ ପକାଇବେ ନାହିଁ ।
- ଉଦ୍ୟମ ମଧ୍ୟ କରିବେ ନାହିଁ ।
- ନିଯୁକ୍ତ ଓ ବଦଳି ବ୍ୟକ୍ତିଗତ ଯୋଗ୍ୟତା ଏବଂ ସରକାରୀ ନୀତି ଆଧାରରେ ସମାଧାନ ହୁଏ ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ୧୫ ନୂଆ ଶିଳ୍ପକୁ ମଞ୍ଜୁରୀ: ୩୩୫୩ କୋଟି ନିବେଶ, ୪୬୩୭ ନିଯୁକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନୋଜ ଓ ନୀକୁଞ୍ଜ, ଗତକାଲି ଉଭୟ ପାଇଥିଲେ ନୂଆ ଦାୟିତ୍ବ - CS meet cm mohan majhi |
ଯଦି କୌଣସି ସରକାରୀ ଅଧିକାରୀ ଏହାକୁ ଉଲ୍ଲଙ୍ଘନ କରନ୍ତି, ତାହାଲେ ଆଉ ବରଦାସ୍ତ କରାଯିବ ନାହିଁ । ଏଭଳି ବ୍ୟବହାର ଲାଗି ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସରକାରୀ ସେବା ଆଚରଣ ନିୟମର କବଳରୁ ସେମାନେ ବର୍ତ୍ତି ପାରିବେ ନାହିଁ । ପୂର୍ବରୁ ମଧ୍ୟ ଏନେଇ ରାଜ୍ୟ ସରକାରଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ସରକାରଙ୍କ ଏହି ନିର୍ଦ୍ଦେଶନାମା ଯେପରି ସରକାରୀ ଅଧିକାରୀ ମାନିବେ ତାହା ଉପରେ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର