ସମ୍ବଲପୁର: ଶିଳ୍ପରୁ ନିଷ୍କାସିତ ପାଉଁଶ (ଫ୍ଲାଏଆସ)କୁ ନେଇ ସମସ୍ୟା ଦେଖାଦେଇଥିବା ବେଳେ ଏଥିପାଇଁ ବସିଛି ବୈଠକ । ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୋଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡ଼ିକରୁ ନିର୍ଗତ ଫ୍ଲାଇଆସ ପରିଚାଳନା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିଳ୍ପ ଅନୁଷ୍ଠାନ ଗୁଡିକରୁ ନିର୍ଗତ ଫ୍ଲାଇଆସର ସଠିକ ପରିଚାଳନା ନେଇ କେତେକ ପ୍ରସ୍ତାବ ଗ୍ରହଣ କରାଯିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି l
ଆଇଆଇଏମର ବିଶେଷଜ୍ଞଙ୍କ ନିଆଯିବ ସହାୟତା:
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଶିଳ୍ପ ଅନୁଷ୍ଠାନରୁ ନିର୍ଗତ ପାଉଁଶ, ଧୂଆଁ ଓ ବର୍ଜ୍ୟବସ୍ତୁ ଜଳ ଓ ବାୟୁକୁ ପ୍ରଦୂଷଣ କରୁଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଥିବା ବ୍ୟବସ୍ଥାରେ ନବୀକରଣ କରିବାର ଆବଶ୍ୟକତା ରହିଛି । ଅନେକ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜିଲ୍ଲାପାଳମାନଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ । ଯାହାଫଳରେ ଆସଡ଼ମ୍ପିଂ ପାଇଁ ଯେଉଁ ସ୍ଥାନ ପାଇଁ ଅନୁମତି ଦିଆଯାଉଛି ସେନେଇ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅନୁମତି ପତ୍ର ମିଳୁନାହିଁ । ଏହାର ସ୍ଥୀୟା ସମାଧାନ ପାଇଁ ଆରଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆରଡିସି ବିଧାୟକ, ସାଂସଦ ଓ ଜନ ପ୍ରତିନିଧିଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରିବାକୁ ଉତ୍ତରାଞ୍ଚଳ ଆରଡିସିଙ୍କୁ ପରାମର୍ଶ ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମ୍ବଲପୁର ଆଇଆଇଏମର ବିଶେଷଜ୍ଞ, ବୁର୍ଲା ଭିସୁଟ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟ, ଭୀମସାର ମେଡିକାଲ କଲେଜ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହାୟତା ନିଆଯିବ ।"
ଫ୍ଲାଇଆସ ରୁଟରେ ଲାଗିବ ସିସିଟିଭି:
ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, "ଫ୍ଲାଇଆସ ପରିଚାଳନା ପାଇଁ ଯେଉଁ ମାର୍ଗଦର୍ଶିକା ରହିଛି ସେଥିରେ କ'ଣ ପରିବର୍ତ୍ତନ ଆବଶ୍ୟକତା ରହିଛି ତାହାର ଖସଡ଼ା ୧ ମାସ ମଧ୍ୟରେ ତିଆରି କରିବାକୁ ଉତ୍ତରାଞ୍ଚଳ RDCଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଯେଉଁ ସବୁ ସଂସ୍ଥା ଶିଳ୍ପ ଅନୁଷ୍ଠାନ ଗୁଡିକରୁ ଫ୍ଲାଇଆସ ନେଉଛନ୍ତି ସେମାନଙ୍କ ସମ୍ପୂର୍ଣ୍ଣ ରୁଟରେ ସିସିଟିଭି ଲଗାଯିବ । ଯାହାକୁ ପୋଲିସ ବିଭାଗ ନିୟନ୍ତ୍ରଣ କରିବ । ଏହାଦ୍ୱାରା ବେଆଇନ ଭାବେ ଏଣେତେଣେ ହେଉଥିବା ଡ଼ମ୍ପିଂ ଉପରେ ରୋକ ଲାଗିବ । ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେ ଜିଲ୍ଲାପାଳଙ୍କ ଅଧୀନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ରାଜସ୍ବ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଇଞ୍ଜିନିୟରଙ୍କୁ ନେଇ ଏକ କମିଟି ଗଠନ ହେବ ଓ ଏହି କମିଟି ଶିଳ୍ପ ଅନୁଷ୍ଠାନ ଗୁଡିକ ପରିଦର୍ଶନ କରି ସେଠାରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନା ହେଉଛି ସେ ନେଇ ୧ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଶିଳ୍ପ ଅନୁଷ୍ଠାନ ଗୁଡିକରୁ ବାହାରୁ ଥିବା ବର୍ଜ୍ୟଜଳକୁ କିପରି ରିସାଇକିଲିଂ କରାଯାଇ ପୁନଃ ଉପଯୋଗୀ କରାଯିବ ସେନେଇ ମଧ୍ୟ ନିର୍ଦ୍ଦେଶ ମଧ୍ୟ ଦିଆଯିବ ।"
ଏହା ମଧ୍ୟ ପଢ଼ନ୍ତୁ... ଏହା ମଧ୍ୟ ପଢ଼ନ୍ତୁ...କେଉଁଠି ପଡିବା କଥା ଶିଳ୍ପାନୁଷ୍ଠାନର ପାଉଁଶ, କଣ ରହିଛି ପ୍ରାବଧାନ; ନିୟମ ଉଲ୍ଲଙ୍ଘନ ପାଇଁ ବେଦାନ୍ତକୁ 71କୋଟି ଫାଇନ - Guidelines For Disposal Of Fly ash |
ବୈଠକରେ ଏମାନେ ଉପସ୍ଥିତ ଥିଲେ:
ରାଜସ୍ୱ ବିଭାଗୀୟ ଆୟୁକ୍ତଙ୍କ କାର୍ଯ୍ୟାଳୟ ଠାରେ ଓଡିଶାର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ସହ ଉତ୍ତରାଞ୍ଚଳ ଆରଡିସି, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୋଳ ଜିଲ୍ଲାର ବିଧାୟକ, ଜିଲ୍ଲାପାଳ ଓ ଏସପି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ, ଶିଳ୍ପ ଅନୁଷ୍ଠାନ ଗୁଡିକର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ସମ୍ବଲପୁର