ଲକ୍ଷ୍ନୌ: ଉର୍ଦ୍ଦୁ ନପଢିଥିବାରୁ ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଛାତ୍ର ଜଣକ ଏନେଇ ନିଜ ପିତାମାତାଙ୍କୁ ଜଣାଇଥିଲେ । ଛାତ୍ରର ଅଭିଭାବକ ପ୍ରଧାନ ଶିକ୍ଷକଙ୍କ ସହ କଥା ହେବା ପାଇଁ ସ୍କୁଲକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ଅପମାନିତ କରି ଫେରାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏପରି ଏକ ଘଟଣା ଏବେ ଉତ୍ତର ପ୍ରଦେଶର ମିର୍ଜାପୁର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।
ଘଟଣାଟି ମିର୍ଜାପୁର ଜିଲ୍ଲାର ଅନ୍ତର୍ଗତ ମହଗୁଡ ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ସ୍କୁଲରେ 5ମ ଶ୍ରେଣୀରେ ପଢୁଥିବା ସତ୍ୟମ ନାମକ ଜଣେ ଛାତ୍ରଙ୍କୁ ଶିକ୍ଷକ ଉର୍ଦ୍ଦୁ ପଢିନଥିବା କାରଣରୁ ମାଡ ମାରିଥିବା ଅଭିଯୋଗ ଆସିଛି । ପ୍ରଧାନଶିକ୍ଷକଙ୍କ ଆକ୍ରୋଶର ଶିକାର ହୋଇଥିବା ଛାତ୍ରଙ୍କ ବାପା ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷକ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଛନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ, ସ୍କୁଲ କ୍ୟାମ୍ପସରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କ୍ରୋଧିତ ଛାତ୍ରମାନେ ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଉର୍ଦ୍ଦୁ ଅଧ୍ୟୟନ ପାଇଁ ତାଙ୍କୁ ବଳପୂର୍ବକ ଚାପ ପକାଯାଉଥିବା ସେମାନେ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।