ମୁମ୍ବାଇ: କଟିଲା ଷ୍ଟାଣ୍ଡିଂ ଏମପି ପୁନମ ମହାଜନଙ୍କ ଟିକଟ । ଭାରତୀୟ ଜନତା ପାର୍ଟି ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ 26/11 ଆତଙ୍କୀ ହମଲାର ଆତଙ୍କୀ କସାବ ବିରୋଧରେ ଲଢିଥିବା ଆଇନଜୀବୀ ଉଜ୍ଜ୍ବଳ ନିକମଙ୍କ ଉପରେ ଭରସା କରିଛି । ପୁନମ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ପ୍ରମୋଦ ମହାଜନଙ୍କ ଝିଅ । ସେପଟେ ଉଜ୍ଜ୍ବଳ ନିକମ କସାବ କେସ ବ୍ୟତୀତ ଅନେକ ହାଇ ପ୍ରୋଫାଇଲ ମାମଲାକୁ ସରକାରଙ୍କ ପକ୍ଷରୁ ଲଢି ଜିତିଛନ୍ତି । ଏହି ଆସନରୁ କଂଗ୍ରେସ ବର୍ଷା ଗାଏକୱାଡଙ୍କୁ ଟିକଟ ଦେଇଛି । ଆଜି ବିଜେପି 15 ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରି ଉଜ୍ଜ୍ବଳ ନିକମଙ୍କ ନାଁ ଘୋଷଣା କରିଛି ।
ପୁନମ 2014 ନିର୍ବାଚନରେ ଦିବଙ୍ଗତ ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ସୁନୀଲ ଦତ୍ତଙ୍କ ଝିଅ ପ୍ରିୟା ଦତ୍ତଙ୍କୁ ହରାଇ ମୁମ୍ବାଇ ଉତ୍ତର ମଧ୍ୟ ଆସନରେ ବିଜୟୀ ହୋଇଥିଲେ । 2019 ନିର୍ବାଚନରେ ମଧ୍ୟ ଏହି ସଫଳତାକୁ ପୁନମ ମହାଜନ ପୁଣି ଥରେ ଦୋହରାଇଥିଲେ । ଆତଙ୍କୀ ଅଜମଲ କସାବ ମାମଲାରେ ସରକାରଙ୍କ ପକ୍ଷରୁ କେସ ଲଢୁଥିଲେ ବିଶିଷ୍ଟ ଆଇନଜୀବୀ ଉଜ୍ଜ୍ବଳ ନିକମ । ଯିଏକି କସାବକୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ ।
'ଦେଶର ସେବା ପାଇଁ ରାଜନୀତିକୁ ଆସିଲି':-ବିଜେପିରୁ ଟିକଟ ପାଇବା ପରେ ଉଜ୍ଜ୍ବଳ ନିକମ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କୁ ଦେଶ ସେବା କରିବାର ସୁଯୋଗ ମିଳିଛି । ରାଜନୀତି ମାଧ୍ୟମରେ ସମାଜ ତଥା ରାଷ୍ଟ୍ରର ସେବା କରାଯାଏ । ସେ ନିଶ୍ଚିତ ଭାବରେ ଏହାକୁ ନିଜ କାମରେ ଲଗାଇବେ । ଉଜ୍ଜ୍ବଳ ନିକମ ଚଳିତ ନିର୍ବାଚନରେ ବର୍ଷା ଗାଏକୱାଡଙ୍କ ବିରୋଧରେ ଲଢିବାକୁ ଯାଉଛନ୍ତି । ଏହି ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ନିକମ କହିଛନ୍ତି ଯେ 'ବର୍ଷା ହେଉଛନ୍ତି ଜଣେ ବରିଷ୍ଠ ସଦସ୍ୟ ।'