Mother And Son Studying In Same ITI Class, ହାଇଦ୍ରାବାଦ(ତେଲେଙ୍ଗାନା) : କୁହାଯାଏ, ପାଠ ପଢ଼ିବା ଏବଂ ଜ୍ଞାନ ଆହରଣ କରିବାରେ କୌଣସି ବୟସ ସୀମା ନଥାଏ । ମନରେ ଆନ୍ତରିକତା, ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ପାଠପଢ଼ା ଆଗରେ ବୟସ ବି ହାର ମାନେ । ଯାହାକୁ ପ୍ରମାଣ କରିଛନ୍ତି ଜଣେ ମହିଳା । ୩୮ ବର୍ଷ ବୟସରେ ପାଠ ପଢ଼ିବା ପାଇଁ ନିଜ ପୁଅ ସହ ITI କଲେଜରେ ନାମ ଲେଖାଇଛନ୍ତି । ଏବେ ମାଆ-ପୁଅ ସାଙ୍ଗ ହୋଇ କଲେଜ ଯାଉଛନ୍ତି । ଏମିତିକି ଗୋଟିଏ ରୁମରେ ବସି କ୍ଲାସ ବି କରୁଛନ୍ତି । ଦୁହେଁ ଘରେ ମାଆ ପୁଅ, ଆଉ କଲେଜରେ ସହପାଠୀ ।
ବିବାହ ପରେ ଜାରି ରଖିଛନ୍ତି ପାଠପଢ଼ା :
ତେଲେଙ୍ଗାନା ପେଡ୍ଡାପଲ୍ଲୀ ଜିଲ୍ଲା ଗୁଣ୍ଡାରାମ ଗାଁର ୩୮ ବର୍ଷିୟା ଜାକ୍କୁଲା ସ୍ବର୍ଣ୍ଣଲତା । ସ୍ବର୍ଣ୍ଣଲତା ଯୁକ୍ତ ୨ ( Plus Two) ପଢ଼ିବା ସମୟରେ ଲକ୍ଷ୍ମଣ ନାମକ ଜଣେ ବ୍ୟକ୍ତିଙ୍କୁ ବାବାହ କରିଥିଲେ । ଲକ୍ଷ୍ମଣ ଜଣେ ଶ୍ରମିକ ଭାବେ କାମ କରନ୍ତି । ବିବାହ ପରେ ସ୍ବର୍ଣ୍ଣଲତାଙ୍କ ପାଠପଢ଼ା ପ୍ରତି ଆଗ୍ରହଥିବା ଦେଖି ପାଠପଢ଼ା ବନ୍ଦ ନ କରି ଜାରି ରଖିବା ପାଇଁ ସ୍ବାମୀ ଲକ୍ଷ୍ମଣ ତାଙ୍କୁ ଉତ୍ସାହିତ କରିଥିଲେ । ଏହାରି ଭିତରେ ସ୍ବର୍ଣ୍ଣଲତା ଡିସ୍ଟାଣ୍ଟ କୋର୍ସ (Distance Education)ରେ ଡିଗ୍ରୀ ସହ ପିଜି (Post Graguation) ବି ଶେଷ କରିଛନ୍ତି । ଏବେ ତାଙ୍କର ୨ଟି ପୁଅ ଅଛନ୍ତି ।
ସହପାଠୀ ମାଆ-ପୁଅ:
ସ୍ବର୍ଣ୍ଣଲତାଙ୍କ ୨ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ରୋସନ ଚଳିତ ବର୍ଷ ITIରେ ଏକ ବର୍ଷର କମ୍ପ୍ୟୁଟର ଅପରେଟର ଓ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଏହି ପାଠ୍ୟକ୍ରମରେ ନାମ ଲେଖାର ବୟସ ସୀମା ୪୫ ବର୍ଷ ଥିବା ବେଳେ ସ୍ବର୍ଣ୍ଣଲତା ମଧ୍ୟ ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏଥିପାଇଁ ସ୍ବର୍ଣ୍ଣଲତାଙ୍କୁ ତାଙ୍କ ସ୍ବାମୀ ଓ ପିଲାମାନେ ଉତ୍ସାହିତ କରିଥିଲେ । ତେବେ ସେପ୍ଟେମ୍ବରରେ ହୋଇଥିବା ସ୍ପଟ ଆଡମିସନରେ ସେ ପୁଅ ପଢ଼ୁଥିବା ITI କଲେଜରେ ନାମ ଲେଖାଇଛନ୍ତି ।