ବିଜାପୁର:ଛତିଶଗଡବିଜାପୁରରେ ନକ୍ସଲଙ୍କ ବିରୋଧରେ ସୁରକ୍ଷା ବାହିନୀ ଅପରେସନକୁ ଜୋରଦାର କରିଛି । ଗୁଇନ୍ଦା ଇନପୁଟ ଆଧାରରେ ସୁରକ୍ଷା ବାହିନୀ ଜଙ୍ଗଲା ପୋଲିସ ଷ୍ଟେସନ ଅଞ୍ଚଳର ବଡଟୁଙ୍ଗାଲି ଓ ଛୋଟଟୁଙ୍ଗାଲି ଜଙ୍ଗଲରେ କମ୍ବିଂ ଅପରେସନ୍ କରିଥିଲା । ଏଥିରେ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ 4 ଜଣ ନକ୍ସଲ ନିପାତ ହୋଇଛନ୍ତି । ବହୁମାତ୍ରାରେ ମାଓସାମଗ୍ରୀ ଓ ବିସ୍ଫୋରକ ମଧ୍ୟ ଜବତ ହୋଇଛି । ଦୀର୍ଘ ଦିନ ହେବ ନକ୍ସଲମାନେ ସେହି ସ୍ଥାନରେ କ୍ୟାମ୍ପ କରି ରହିଥିବା ସନ୍ଦେହ କରାଯାଉଛି ।
ନକ୍ସଲ ନେତା ଜନନ୍ତା ନେତୃତ୍ବରେ ପ୍ରାୟ 20ରୁ ଅଧିକ ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିବା ପରେ ଆଜି କେନ୍ଦ୍ରୀୟ ବଳ ଓ ସ୍ଥାନୀୟ ପୋଲିସ ପ୍ରଶାସନ ମିଳିତ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନରେ DRG, ବସ୍ତର ଫାଇଟର ଏବଂ CRPF ଯବାନ ଅଂଶଗ୍ରହଣ କରିଥିଲେ । ପୂର୍ବାହ୍ନରୁ ଗୁଳି ବିନିମୟ ଜାରି ରହିଥିଲା । ଏହି ଏନକାଉଣ୍ଟରରେ ଚାରିଜଣ ନକ୍ସଲଙ୍କୁ ସୁରକ୍ଷା ବାହିନୀ ନିପାତ କରିବାରେ ସଫଳ ହୋଇଛି । ଅନ୍ଯ କିଛି ନକ୍ସଲ ଆହତ ହୋଇ ଜଙ୍ଗଲ ମଧ୍ୟରୁ ଛତ୍ରଭଙ୍ଗ ଦେଇଥିବା ମଧ୍ୟ ସନ୍ଦେହ କରାଯାଉଛି । 4 ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି ।
ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ଦେଶୀ ପିସ୍ତଲ, ଚାରିଟି କାର୍ଟ୍ରିଜ୍, ଗୋଟିଏ ବିଜିଏଲ୍ ଲଞ୍ଚର୍, ଗୋଟିଏ ଲୋଡ୍ ବନ୍ଧୁକ, ତିନୋଟି ଟିଫିନ୍ ବୋମା, କର୍ଡେକ୍ସ ତାର, ଜେଲାଟିନ୍ ଷ୍ଟିକ ଏବଂ ଗୋଟିଏ ୱାକି-ଟକି ମଧ୍ୟ ରହିଛି । ଏହା ବ୍ୟତୀତ ନକ୍ସଲମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମଧ୍ୟ ରଖିଥିଲେ । ଧନୁ ଏବଂ ତୀର, କୁରାଢୀ, ଛୁରୀ ଏବଂ ଫାଷ୍ଟଏଡ ବାକ୍ସ ମଧ୍ୟ ରହିଛି । ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନରକୁ ଜୋରଦାର କରାଯାଇଛି ।