ଚଣ୍ଡିଗଡ଼:ଅଧାରେ ରହିଲା ବୈଷ୍ଣୋଦେବୀଙ୍କ ଦର୍ଶନ । ବସରେ ଜମ୍ମୁ-କାଶ୍ମୀର ଯାଉଥିବା ବେଳେ ବାଟରେ ଧକ୍କା ଦେଲା ଟ୍ରକ । ଏକାସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୭ ଜଣଙ୍କ ଜୀବନ । ଆଜି (ଶୁକ୍ରବାର) ଭୋର୍ ସମୟରେ ହରିୟାଣା ରାଜ୍ୟର ଅମ୍ବାଲାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଏଥିରେ ୨୫ରୁ ଅଧିକ ଲୋକେ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅମ୍ବାଲା-ଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି ।
ସୂଚନା ଅନୁଯାୟୀ, ମୃତାହତମାନେ ଉତ୍ତରପ୍ରଦେଶର ବୁଲନ୍ଦସହର ବାସିନ୍ଦା । ସମସ୍ତେ ଗୋଟିଏ ପରିବାରର । ସମସ୍ତେ ମିଶି ଜମ୍ମୁ-କାଶ୍ମୀର ସ୍ଥିତ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଏକ ମିନି ବସ୍ରେ ଯାଉଥିଲେ । ଆଜି ଭୋର୍ ସମୟରେ ଅମ୍ବାଲା ଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥରେ ବସ୍ ଆଡକୁ ବଢୁଥିବା ବେଳେ ହଠାତ୍ ଏକ ଦ୍ରୁତଗାମୀ ଟ୍ରକ ଆସି ପଛପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ ନିମିଷକରେ ମିଳାଇ ଯାଇଥିଲା ସବୁ ଖୁସି । ଦୁର୍ଘଟଣାରେ ବସ୍ଟି ପୁରା ଚୁରାମାର୍ ହୋଇଯାଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।