ମୁମ୍ବାଇ:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସାଂସଦ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣେ 19 ବର୍ଷୀୟ ଛାତ୍ର ଓ ତାର ଘର ପୁଣେରେ ବୋଲି ଜଣାପଡିଛି । କ୍ରାଇମବ୍ରାଞ୍ଚ ଟିମ୍ ତାକୁ ଗିରଫ କରିବା ପରେ ଜେରା କରୁଛି । ଅଭିଯୁକ୍ତର କୌଣସି ରାଜନୈତିକ ଦଳର ଲିଙ୍କ୍ ଅଛି ନା, ସେ କେଉଁ କାରଣରୁ ସେ ଏହି ହତ୍ୟା ଧମକ ଦେଇଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।
ପୋଲିସର ପ୍ରାଥମିକ ତଦନ୍ତରେ ଜଣାପଡିଥିବା ତଥ୍ୟ ଅନୁସାରେ, ଏହି ଛାତ୍ରଙ୍କ ନାମ ଶୁଭମ ଓ୍ବାର୍କାଡ ଓ ସେ ପୁଣେର ଏକ କଲେଜରେ ପ୍ରଥମ ବର୍ଷର ଛାତ୍ର । ଚଳିତ 11 ତାରିଖରେ ସେ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସାଂସଦ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କୁ ହତ୍ୟା କରାଯିବା ନେଇ ଧମକପୂର୍ଣ୍ଣ ପୋଷ୍ଟ କରିଥିଲେ । ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହେବା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଛାତ୍ର ଶୁଭମକୁ ପୁଣେରୁ ଗିରଫ କରିଛି ।
‘ଏକ୍ସ’ରେ ପୋଷ୍ଟ ହେବା ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ପ୍ରଦାନ କରାଯାଇଥିଲା । ପୋଷ୍ଟ କରାଯାଇଥିବା ଡିଭାଇସର ଆଇପି ଆଡ୍ରେସ ଓ ଏହି ‘ଏକ୍ସ’ ଆକାଉଣ୍ଟ ସହ ଲିଙ୍କ୍ ହୋଇଥିବା ମେଲ୍ ଆଇଡି ମାଧ୍ୟମରେ ଆକାଉଣ୍ଟର ବ୍ୟବହାରକାରୀ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ପହଞ୍ଚିଥିଲା । ଏବେ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଛି । ସେହି କେଉଁ ରାଜନୈତିକ ଦଳ କିମ୍ବା ଛାତ୍ର ସଂଗଠନ ସହ ସମ୍ପୃକ୍ତ ସେ ନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି । ଭାରତୀୟ ଦଣ୍ଡ ସଂହିତା (ଆପିସି)ର ଧାରା 506(2)ଓ 505(1)(B) ରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି । ଏବେ ତାକୁ ଜେରା କରାଯାଉଛି । ପରବର୍ତ୍ତୀ ସମୟରେ ତାକୁ କୋର୍ଟ ଚାଲାଣ କରାଯିବ ।