ପ୍ରୟାଗରାଜ: ପବିତ୍ର ମହାକୁମ୍ଭ ମେଳାରେ ବଡ ଧରଣର ଅଘଟଣ । ମୌନି ଅମାବାସ୍ୟା ଅବସରରେ ପ୍ରବଳ ଭିଡ ମଧ୍ୟରେ ଦଳାଚକଟା । ଏଥିରେ ବହୁ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ରହିଛି । ଆହତ ଓ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଗତକାଲି (ମଙ୍ଗଳାବାର) ବିଳମ୍ବିତ ରାତି ପ୍ରାୟ ୧.୩୦ ସୁଦ୍ଧା ଏହି ଅଘଟଣ ଘଟିଛି ।
Maha Kumbh 2025 Stampede (ETV Bharat) କୁମ୍ଭମେଳାରେ ଦଳାଚକଟା:
ସୂଚନା ଅନୁଯାୟୀ, ମୌନି ଅମାବାସ୍ୟା ଅବସରରେ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ ପକାଇବା ପାଇଁ ପ୍ରୟାଗରାଜ କୁମ୍ଭମେଳାରେ କୋଟି କୋଟି ଲୋକଙ୍କ ଭିଡ ହୋଇଥିଲା । ଏହି ସମୟରେ କିଛି ଗୁଜବକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଏହାମଧ୍ୟରେ କିଛି ମହିଳା ଓ ପୁରୁଷ ତଳେ ପଡିଯାଇଯିବାକୁ ଦଳାଚକଟା ହୋଇଥିଲା ।
ଗୁଜବ କାରଣରୁ ଦଳାଚକଟା !
ମେଳାଧିକାରୀ ବିଜୟ କିରଣ ଆନନ୍ଦଙ୍କ କହିବାନୁଯାୟୀ, "ଗୁଜବ କାରଣରୁ ଏହି ଦଳାଚକଟା ହୋଇଛି ।" ଅନେକ ସ୍ଥାନରେ ମୃତଦେହ ଘଣ୍ଟା ଘଣ୍ଟା ଧରି ପଡିରହିଥିବା ଦେଖିବାକୁ ମିଳିଛି। ଅଘଟଣ ସୂଚନା ପାଇବା ପରେ ନିଜ ଆତ୍ମୀୟଙ୍କ ଖୋଜିବା ପାଇଁ ମହାକୁମ୍ଭ ସେକ୍ଟର ୨ରେ କୁମ୍ଭ କ୍ଷେତ୍ରରେ ସ୍ଥାପନ ହୋଇଥିବା ହସ୍ପିଟାଲ ସାମ୍ନାରେ ପରିବାର ବର୍ଗଙ୍କ ଭିଡ ଜମିବାରେ ଲାଗିଛି ।
ସାହି ସ୍ନାନ ସ୍ଥଗିତ:
ମହାକୁମ୍ଭରେ ଦଳାଚକଟା ପରେ ସ୍ଥିତିକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ଏକାଧିକ ପୋଲିସ ଟିମ ମୁତୟନ କରାଯାଇଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଅଘଟଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟ ସରକାର ସନ୍ଥମାନଙ୍କ ସାହି ସ୍ନାନ ସ୍ଥଗିତ ରଖିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅପିଲ: ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କୁ ଏହି ଅଘଟଣ ସମ୍ବନ୍ଧରେ ପଚାରି ବୁଝିଛନ୍ତି । ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ପ୍ରୟାଗରାଜ ମହାକୁମ୍ଭ ମେଳାରେ ସାମିଲ ହେଉଥିବା ଶ୍ରଦ୍ଧାଳୁଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ବୁଡ ପକାଇବାକୁ ନିବେଦନ କରିଛନ୍ତି । ଆଉମଧ୍ୟ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବା ସହ ସହଯୋଗ କରିବାକୁ ଏବଂ କୌଣସି ପ୍ରକାର ଗୁଜବ ଉପରେ ଧ୍ୟାନ ନଦେବାକୁ ପରାମର୍ଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ