ପ୍ରୟାଗରାଜ (ଉତ୍ତରପ୍ରଦେଶ) :ନବେ ଦଶକରେ ଗ୍ଲାମର ଦୁନିଆର ଚର୍ଚ୍ଚିତ ଚେହେରା ଏବେ ଆଧ୍ୟାତ୍ମିକତା ବାଟରେ । ନବେ ଦଶକର ବେଶ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି ସନ୍ୟାସ ଗ୍ରହଣ କରିଛନ୍ତି । କିନ୍ନର ଆଖଡା ତାଙ୍କୁ ମହାମଣ୍ଡଳେଶ୍ୱର ପଦବୀ ପ୍ରଦାନ କରିଛନ୍ତି ।
ସନ୍ଥ ପାଲଟିଲେ ବଲିଉଡ ଅଭିନେତ୍ରୀ:
ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଅନେକ ବଡ ବଡ ସନ୍ୟାସୀଙ୍କ ଆଗମନ ଜାରି ରହିଛି । ବିଶ୍ୱର କୋଣ ଅନୁକୋଣରୁ ଆସି ମେଳାରେ ଯୋଗ ଦେଉଛନ୍ତି ସାଧୁ ସନ୍ଥମାନେ । ଏହାମଧ୍ୟରେ ବଲିଉଡ ଜଗତର ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କ ସନ୍ଥ ହେବା ଖବର ବେଶ ଚର୍ଚ୍ଚାରେ ରହିଛି ।
ପିଣ୍ଡଦାନ କଲେ ମମତା କୁଲକର୍ଣ୍ଣି:
ଶୁକ୍ରବାର ଦିନ ମମତା ସଂଗମ କୂଳରେ ନିଜ ଚୁଟି କାଟିବା ସହ ନିଜର ଓ ନିଜ ପରିବାରର ପିଣ୍ଡଦାନ କରିଛନ୍ତି । ଏହି ସମୟରେ ସେ ପବିତ୍ର ବୁଡ ମଧ୍ୟ ପକାଇଥିଲେ । କିନ୍ନର ଆଖଡାରେ ତାଙ୍କର ପଟ୍ଟଭିଷେକ କରାଯାଇଛି । ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ମମତା କୁଲକର୍ଣ୍ଣିଙ୍କୁ ଆଖଡାରେ ସାମିଲ କରିବା ପରେ ତାଙ୍କ ନାଁ ପରିବର୍ତ୍ତନ ମଧ୍ୟ କରିଛନ୍ତି ।
ମମତା କୁଲକର୍ଣ୍ଣିରୁ ହେଲେ ମାଇ ମମତା ନନ୍ଦ ଗିରି:
ମମତା କୁଲକର୍ଣ୍ଣିରୁ ସେ ଏବେ ହୋଇଯାଇଛନ୍ତି ମାଇ ମମତା ନନ୍ଦ ଗିରି । ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଅନୁଯାୟୀ ତାଙ୍କୁ ଏବେ ବୃନ୍ଦାବନ ସ୍ଥିତ ଏକ ଆଶ୍ରମର ଦାୟିତ୍ୱ ପ୍ରଦାନ କରାଯିବ । ଏବେ ତାଙ୍କର ସମଗ୍ର ଜୀବନ ସନାତନ ଧର୍ମର ପ୍ରଚାର- ପ୍ରସାର ପାଇଁ ସମର୍ପିତ ।
'ସନାତନ ଧର୍ମ ପ୍ରତି ରହିଛି ଗଭୀର ଆସ୍ଥା'
ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ କହିଛନ୍ତି, "ଜୁନା ଆଖଡର ମହିଳା ମହାମଣ୍ଡଳେଶ୍ୱରଙ୍କ ସହ ମମତା କୁଲକର୍ଣ୍ଣି ତାଙ୍କୁ ଭେଟିଥିଲେ । ତାଙ୍କର ସନାତନ ଧର୍ମ ପ୍ରତି ଅଗାଢ ଆସ୍ଥା ରହିଛି । ସେ ପ୍ରଥମେ ଜୁନା ଆଖଡାର ଏକ ମହାମଣ୍ଡଳେଶ୍ୱର ସହ ସାମିଲ ଥିଲେ । ଏହି ସମୟରେ ସେ ମୋତେ ଭେଟିଥିଲେ । ତାଙ୍କର ସନାତନ ଧର୍ମ ପ୍ରତି ଆସ୍ଥା ଓ ବିଶ୍ୱାସ ଦେଖି ମୁଁ ତାଙ୍କୁ ମହାମଣ୍ଡଳେଶ୍ୱର କରିବା ପାଇଁ ନିଷ୍ପତ୍ତି ନେଇଥିଲି । ଯଦି ସେ ପରମ୍ପରାକୁ ଠିକ ଭାବେ ତୁଲାଇ ପାରିବେ ତେବେ ସେ ଏହି ପଦରେ ରହିବେ ନଚେତ୍ ତାଙ୍କୁ ଭବିଷ୍ୟତରେ ନିଷ୍କାସିତ ମଧ୍ୟ କରାଯାଇପାରେ ।"