ପ୍ରୟାଗରାଜ(ଉତ୍ତରପ୍ରଦେଶ): 18 ଦିନରେ ପହଞ୍ଚିଛି ମହାକୁମ୍ଭ । ପ୍ରୟାଗରାଜରେ ଘଟିଥିବା ଦଳାଚକଟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି । ଏହି ଅଘଟଣରେ 30 ଜଣଙ୍କ ଜୀବନ ଯାଇଥିବାବେଳେ ପାଖାପାଖି 90 ଜଣ ଆହତ ହୋଇଥିବା ସୂଚନା ରହିଛି । ମୃତକଙ୍କ ପରିବାରକୁ 25 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏହାସହ ଘଟଣା ସମ୍ପର୍କରେ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତୁ ଜାଣିବା ଆଜି କିଭଳି ରହିଛି ପ୍ରୟାଗରାଜ ମହାକୁମ୍ଭ ମେଳାର ସ୍ଥିତି।
ପୋଲିସ ପ୍ରଶାସନ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା:
ମଙ୍ଗଳବାର-ବୁଧବାର ବିଳମ୍ବିତ ରାତିରେ ହୋଇଥିବା ଦଳାଚକଟା ଘଟଣା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି । ଆଜି(ଗୁରୁବାର) ଶ୍ରଦ୍ଧାଳୁମାନେ ଗଙ୍ଗାରେ ସ୍ନାନ କରୁଛନ୍ତି । ସେପଟେ ମଙ୍ଗଳବାର ସୁଦ୍ଧା ସର୍ବମୋଟ୍ 19କୋଟି 94 ଲକ୍ଷ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିବା ଜଣାପଡ଼ିଛି । ବୁଧବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଭିଡିଓ କନଫରେନ୍ସ ଜରିଆରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ୟୁପି ମୁଖ୍ୟମନ୍ତ୍ରୀ । ପ୍ରୟାଗରାଜ, କୌଶାମ୍ବୀ, ବାରାଣାସୀ, ଅଯୋଧ୍ୟା, ମିର୍ଜାପୁର, ବସ୍ତି, ଜୋନପୁର, ଚିତ୍ରକୋଟ, ବାନ୍ଦା, ଆମ୍ବେଦକର ନଗର, ପ୍ରତାପଗଡ, ସନ୍ଥକବୀରନଗର, ଭଦୋହୀ, ରାଏବରେଲି, ଗୋରଖପୁରର ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଏଡିଜି ଏବଂ ପ୍ରୟାଗରାଜ ଜିଲ୍ଲା ଅଧିକାରୀଙ୍କଠାରୁ ଅପଡେଟ୍ ନେବା ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।