ଅମରାବତୀ: ଦକ୍ଷିଣ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ଆଜି ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନ ଓ ଲୋକସଭା ଆସନରେ ମତଦାନ ଜାରି ରହିଛି । ରାଜ୍ୟର 175 ବିଧାନସଭା ଆସନ ସହ ରାଜ୍ୟର ସମସ୍ତ 25 ସଂସଦୀୟ ଆସନରେ ମଧ୍ୟ ଭୋଟିଂ ହେଉଛି । ଚଳିତଥର ଦେଶରେ ସାଧାରଣ ନିର୍ବାଚନ ସହ 4 ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ହେଉଛି । ଆଜି ଆନ୍ଧ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବାକୁ ଥିବା ବେଳେ ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଛି । ଓଡିଶାରେ ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନ ଓ ଏହା ଅନ୍ତର୍ଗତ 28 ବିଧାନସଭା ଆସନରେ ଭୋଟିଂ ହେଉଛି ।
ଆନ୍ଧ୍ର ପ୍ରଦେଶରେ ଜଗନ ମୋହନ ରେଡ୍ଡୀଙ୍କ ‘ଓ୍ବାଇଏସଆର କଂଗ୍ରେସ’ କ୍ଷମତାରେ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ‘ତେଲଗୁ ଦେଶମ ପାର୍ଟି’ (ଟିଡିପି) ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି । ଏଥର ଜଗନଙ୍କ ‘ଓ୍ବାଇଏସଆର କଂଗ୍ରେସ’ ଏକାକୀ ଲଢୁଥିବା ବେଳେ ଚନ୍ଦ୍ରବାବୁଙ୍କ ପାର୍ଟି ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟରେ ନିର୍ବାଚନ ଲଢୁଛି । ବିଜେପି- ଟିଡିପି ଓ ଅଭିନେତା ପବନ କଲ୍ୟାଣଙ୍କ ‘ଜନସେନା ପାର୍ଟି’ ଏକାଠୀ ନିର୍ବାଚନ ଲଢୁଛନ୍ତି । ସକାଳୁ ବିଭିନ୍ନ ଦଳର ପ୍ରାର୍ଥୀ ଓ ବହୁ ହେଭିଓ୍ବେଟ ନେତା ମତଦାନ କେନ୍ଦ୍ରରେ ପହଞ୍ଚି ମତଦାନ କରିଛନ୍ତି । ଲୋକଙ୍କ ମଧ୍ୟରେ ମତାଧିକାରକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି ।