ଜୟପୁର:'ପାଣି ନାହିଁ ତ ଭୋଟ ନାହିଁ' । ଦୀର୍ଘ ଦିନ ଧରି ପାଣି ଟୋପାଏ ପାଇଁ ଦାବି କରୁଆସୁଥିବା ଗ୍ରାମବାସୀ ଆଜି ଭୋଟ ବର୍ଜନ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଏଠାକାର ସ୍ଥାନୀୟ ବିଧାୟକ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରୀ ଥିବା ବେଳେ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଏଭଳି ଘଟଣା ରାଜସ୍ଥାନ ଅଜମେର ଲୋକସଭା ଆସନ ଅଧୀନରେ ଆସୁଥିବା ପୁସ୍କର ବିଧାନସଭା ନିର୍ବାଚନମଣ୍ଡଳୀର ବଲୱାନ୍ତା ଗ୍ରାମରେ ଦେଖିବାକୁ ମିଳିଛି । ଆଜି ଦେଶରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ରାଜସ୍ଥାନର 13ଟି ଆସନରେ ମତଦାନ କରୁଛନ୍ତି ଭୋଟର ।
'ଇଟିଭି ଭାରତ'କୁ ସୂଚନା ଦେଇ ବଲୱାନ୍ତା ଗ୍ରାମର ଅଧିବାସୀ କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ଜଳ ସଙ୍କଟ ନେଇ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ୍ତି । ମାତ୍ର ସରକାର ଏଥିଲାଗି କୌଣସି ବ୍ୟବସ୍ଥା କରିନାହାନ୍ତି । ଫଳରେ ଗ୍ରାମବାସୀ ଦୀର୍ଘ ଦିନ ଧରି ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ଏଣୁ ଗ୍ରାମବାସୀ ଭୋଟ ବର୍ଜନ କରିଥିବା କହିଛନ୍ତି । ପୁସ୍କର ବିଧାୟକ ସୁରେଶ ସିଂ ରାୱତ ରାଜସ୍ଥାନ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରୀ ଅଛନ୍ତି । ବିଧାୟକଙ୍କ ଆଗରେ ଗ୍ରାମବାସୀ ଏହି ଦାବି ବାରମ୍ବାର ରଖିଥିଲେ ସୁଦ୍ଧା ସେ କର୍ଣ୍ଣପାତ କରିନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ଏହା ବି ପଢନ୍ତୁ- ପୂରଣ ହେଉନି ଦାବି, ନିୟମଗିରି ଡଙ୍ଗରିଆଙ୍କ ଭୋଟ ବର୍ଜନ ନିଷ୍ପତ୍ତି
ଗ୍ରାମବାସୀମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେବା ପରେ ସ୍ଥାନୀୟ ପ୍ରଶାସନ ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମତଦାନ କରିବାକୁ ଅନୁରୋଧ କରିଥିଲା । ମାତ୍ର ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଛନ୍ତି । ଯେପର୍ଯ୍ୟନ୍ତ ବିସାଲପୁର ପାଇପ ଲାଇନ ସହିତ ତାଙ୍କ ଗ୍ରାମକୁ ସଂଯୋଗ କରାଯାଇନାହିଁ, ସେ ପର୍ଯ୍ୟନ୍ତ ସେମାନେ ଭୋଟ ଦେବେ ନାହିଁ ବୋଲି କହିଛନ୍ତି ।
ଏନେଇ ଜଣେ ଗ୍ରାମବାସୀ ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି, "ଭୋଟ ବର୍ଜନ ଲାଗି ଆମେ ଏଠାରେ ଏକତ୍ରିତ ହୋଇଛନ୍ତି । ଆମ ଗ୍ରାମରେ ଅନେକ ଦିନ ଧରି ଜଳ ସଙ୍କଟ ଲାଗି ରହିଛି । ହେଲେ ସ୍ଥାନୀୟ ପ୍ରଶାସନ ଯେପରି ସ୍ଥାଣୁ ପାଲଟିଛି । ଆଜି ଭୋଟ ବର୍ଜନ କରିବା ପରେ ଅନେକ ସରକାରୀ ଅଧିକାରୀ ଆମ ନିକଟକୁ ଆସିଛନ୍ତି । 'ପାଣି ଦିଅ, ଭୋଟ ନିଅ' ବୋଲି ଆମେ କହିଛୁ । ସେମାନେ ଅନେକ ଥକ ଆମକୁ ବୁଝାଇବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଆମେ ଭୋଟ ଦେଇନାହୁଁ । ଆମେ ବର୍ଷ ବର୍ଷ ଧରି ଏହି ସମସ୍ୟା ଭୋଗୁଥିବାରୁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ ।"
ପାଣି ପାଇଁ ଛଟପଟ 3000 ଲୋକେ:-ବଲୱାନ୍ତା ଜିଲ୍ଲାର ମୋଟ ଜନସଂଖ୍ୟା 3ହଜାର । ଏଠାରେ ଆଜି ମତଦାନ ପ୍ରକ୍ରିୟା ସକାଳ 7 ଟାରୁ ଆରମ୍ଭ ହୋଇଛି । ହେଲେ ଜଣେ ବି ମତଦାତା ଭୋଟ ଦେବା ଲାଗି ଆସିନଥିବା ଦେଖିବାକୁ ମିଳିଛି । ଏହାପରେ ପୋଲିସ ଓ ଜଳ ପରିବହନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ବୁଝାଇବା ସତ୍ତ୍ବେ କେହି ଭୋଟ ଦେବାକୁ ରାଜି ହୋଇନାହାନ୍ତି । ଗତ ମାର୍ଚ୍ଚ 10 ତାରିଖରେ ଏ ନେଇ ଗ୍ରାମବାସୀ ରାଜ୍ୟ ସରକାରଙ୍କ ଜଳ ପରିବହନ ମନ୍ତ୍ରୀ କହ୍ନୈୟା ଲାଲ ଚୌଧୁରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତୁରନ୍ତ ପାଣି ଗ୍ରାମରେ ପହଞ୍ଚାଇବା ଲାଗି ମନ୍ତ୍ରୀ ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ